ଚୀନ୍‌ ବାହାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୦୦ ଟପିଲା

୧୬,୦୭୬ ଯାତ୍ରୀଙ୍କୁ ସ୍ଥଳଭାଗ ଛୁଇଁବା ଅନୁମତି ମିଳୁନି, ଦୁବାଇରେ ୧୬ ବର୍ଷୀୟା ଛାତ୍ରୀ ଭାଇରସ୍‌ ଆକ୍ରାନ୍ତ

ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ତଥ୍ୟ ଅନୁଯାୟୀ ଚୀନ୍‌ ବାହାରେ ଅନ୍ୟ ଦେଶ ଗୁଡ଼ିକରେ ୨,୧୦୦ଟି ନୂଆ କରୋନା ଭାଇରସ୍‌ ମାମଲା ସ୍ପ‌ଷ୍ଟ ‌ହୋଇଛି। ଏଥି ସହ ଚୀନ୍‌ ବାହାରେ ସମୁଦାୟ ୧୨,୬୦୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଡବ୍ଲ୍ୟୁଏଚ୍‌ଓ ଅନୁଯାୟୀ ଚୀନ୍‌ ବାହାରେ ସମୁଦାୟ ୭୬ଟି ରାଷ୍ଟ୍ରରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୬୮ ରହିଛି। ସ୍ପେନ୍‌, ଚିଲେ, ପୋଲାଣ୍ଡ୍‌, ହଙ୍ଗେରିରେ ପ୍ରଥମ କରୋନା ଭାଇରସ୍‌ ମାମଲା ସ୍ପଷ୍ଟ ହୋଇଛି। ଇରାନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପିଛି । ଚୀନ୍ ବାଦ୍‌ ଅନ୍ୟ ଦେଶଗୁଡ଼ିକରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୦୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।

୧୬,୦୭୬ ଯାତ୍ରୀଙ୍କୁ ସ୍ଥଳଭାଗ ଛୁଇଁବା ଅନୁମତି ମିଳୁନି
ନୂଆଦିଲ୍ଲୀ : କରୋନା ରୋଗ ଏଭଳି ପରିସ୍ଥିତି ସୃଷ୍ଟି କରିଛି ଯେ ଜାହାଜରେ ଥିବା ଲୋକମାନଙ୍କୁ ଭାରତୀୟ ବନ୍ଦରରେ ଓହ୍ଲାଇବା ପାଇଁ ବା ସ୍ଥଳଭାଗ ଛୁଇଁବା ଅନୁମତି ପ୍ରଦାନ କରାଯାଉ ନାହିଁ। ଚୀନ ଏବଂ ଅନ୍ୟ ପ୍ରଭାବିତ ହେଶରୁ ଆସିଥିବାର ଇତିହାସ ରହିଥିଲେ ସେମାନଙ୍କୁ ସ୍ଥଳଭାଗ ଛୁଇଁବାକୁ ଦିଆଯାଉନାହିଁ। ଜାହାଜର କର୍ମଚାରୀ ଏବଂ ଯାତ୍ରୀମାନେ ଏଥିରେ ରହିଛନ୍ତି ବୋଲି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି। ଏମାନଙ୍କୁ ଭାରତୀୟ ସ୍ଥଳଭାଗରେ ଓହ୍ଲାଇବାକୁ ଦିଆଯାଉ ନଥିଲେ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାଳବଳୀ ଅନୁଯାୟୀ ଏସବୁ ଜାହାଜକୁ ସମୁଦ୍ରରେ ରଖାଯାଇଛି। ସାମଗ୍ରୀ ଭର୍ତ୍ତି ହୋଇଥିବା ୪୫୨ଟି ଜାହାଜ ଏବଂ ୧୬,୦୭୬ ଜଣ ଯାତ୍ରୀ ଓ କର୍ମଚାରୀଙ୍କୁ ଭାରତୀୟ ବନ୍ଦର ଗୁଡ଼ିକରେ ଓହ୍ଲାଇବାକୁ ଅନୁମତି ଦିଆଯାଉ ନାହିଁ। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହା କରାଯାଇଛି ବୋଲି ଜାହାଜ ଚଳାଚଳ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି।

ଦୁବାଇରେ ୧୬ ବର୍ଷୀୟା ଛାତ୍ରୀ ଭାଇରସ୍‌ ଆକ୍ରାନ୍ତ
ଦୁବାଇ : ଦୁବାଇରେ ଏକ ଭାରତୀୟ ସ୍କୁଲ୍‌ର ଜଣେ ୧୬ ବର୍ଷୀୟ ଛାତ୍ରୀ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଉକ୍ତ ଛାତ୍ରୀଙ୍କ ବାପା ମା’ଙ୍କ ଠାରୁ ତାଙ୍କୁ ଭାଇରସ୍‌ ସଂକ୍ରମଣ ହୋଇଛି। ଏଥିସହ ଦୁବାଇରେ ସମୁଦାୟ ୨୭ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏହି ଛାତ୍ରୀଙ୍କ ବାପା ମା’ ନିକଟରେ ଅନ୍ୟ କୌଣସି ବିଦେଶ ରାଷ୍ଟ୍ରରୁ ଦୁବାଇ ଫେରିଥିଲେ। ତେବେ ଗତ ୫ ଦିନ ତଳେ ସେମାନଙ୍କ ଶରୀରରେ ପ୍ରଥମେ ଭାଇରସ୍‌ ଲକ୍ଷଣ ଦେଖା ଦେଇଥିଲା। ପରେ ନମୁନା ପରୀକ୍ଷା ଦ୍ବାରା ସେମାନଙ୍କ ଶରୀରରେ ଭାଇରସ୍‌ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଏବେ ଏହି ଛାତ୍ରୀଙ୍କ ସହ ତାଙ୍କ ପୂରା ପରିବାର ସଦସ୍ୟଙ୍କୁ ହସ୍ପିଟାଲ୍‌ରେ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥାରେ ରଖାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା‌ ଜଣାପଡ଼ିଛି। ଅନ୍ୟପକ୍ଷେ ଦୁବାଇରେ ସମସ୍ତ ଭାରତୀୟ ସ୍କୁଲ୍‌କୁ ଆଜିଠାରୁ ଛୁଟି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର