ପିପିଇ କିଟ୍ ଓ ମାସ୍କ ପିନ୍ଧି କରୋନା ସଂକ୍ରମିତ ପତ୍ନୀଙ୍କୁ ଦେଖା କରିଥିଲେ ବୃଦ୍ଧ, ପତ୍ନୀଙ୍କ ମୃତ୍ୟୁର ୩ସପ୍ତାହ ପରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଆଜିକାଲି ଲୋକେ ନିଜ ପରିବାରକୁ ଅଲଗା କରିଦେଉଛନ୍ତି। କେଉଁଠି ପୁଅ ମା’କୁ ଘ‌ରେ ରଖିବାକୁ ର‌ାଜି ହେଉ ନାହିଁ ତ କେଉଁଠି ସ୍ବାମୀ ସ୍ତ୍ରୀକୁ ଛାଡ଼ି ଦେଉଛି। ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଏଭଳି ଅନେକ ଘଟଣା ସାମ୍ନାକୁ ଅସିଛି। କିନ୍ତୁ ଆମେରିକାର ଫ୍ଲୋରିଡାରେ ରହୁଥିବା ଜଣେ ବୃଦ୍ଧ କରୋନା ଆକ୍ରାନ୍ତ ହେବାର ଆଶଙ୍କା ଥିବା ଜାଣି ମଧ୍ୟ ଶେଷ ମୂହୁର୍ତ୍ତରେ ନିଜ ପତ୍ନୀଙ୍କ ସହ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ପତ୍ନୀ କରୋନା ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ୩ସପ୍ତାହ ପରେ ବୃଦ୍ଧ ମଧ୍ୟ ଆରପାରିକୁ ଚାଲିଯାଇଥିବା ଜଣା ପଡ଼ିଛି।

୯୦ବର୍ଷୀୟ ବୃଦ୍ଧ ସାମ୍ ରେକ୍ ଜୁଲାଇ ୧୨ରେ ତାଙ୍କର ୮୬ବର୍ଷିୟା ପତ୍ନୀ ଜୋଏନଙ୍କୁ ଭେଟିବା ପାଇଁ ପିପିଏ କିଟ୍ ଏବଂ ମାସ୍କ ପିନ୍ଧି ଡାକ୍ତରଖାନା ଯାଇଥିଲେ। କରୋନାରେ ଆକ୍ରାନ୍ତ ଥିବା ଜୋଏନଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସାମ୍ ତାଙ୍କୁ ଭେଟିଥିଲେ। ଏହା ପରେ ସାମ ନିଜେ କରୋନା ଭୂତାଣୁର ଶିକାର ହୋଇଥିଲେ ଏବଂ ଅଗଷ୍ଟ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି।

ସାମଙ୍କ ଝିଅ ହୋଲି ରେକ୍ କହିଛନ୍ତି ଯେ, କରୋନା ଆକ୍ରାନ୍ତ ହେବେ ବୋଲି ଜାଣି ମଧ୍ୟ ମା’ଙ୍କୁ ଶେଷ ଥର ଦେଖିବା ପାଇଁ ସେ ଡାକ୍ତରଖାନା ଯାଇଥିଲେ। ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ମନରେ ଦୁଃଖ ନ ଥିଲା। ଶେଷ ଥର ପାଇଁ ମା’ଙ୍କ ସହ ସମୟ କାଟିବା ଏବଂ ତାଙ୍କ ହାତ ଧରିବାର ସୁଯୋଗ ପାଇଥିବାରୁ ସେ ବହୁତ ଖୁସିଥିଲେ।

ସମ୍ବନ୍ଧିତ ଖବର