ମଦ ହୋମ୍ ଡେଲିଭରି କରିବା ପାଇଁ ହାଇକୋର୍ଟଙ୍କୁ ଆବେଦନ କରିଥିଲେ ଯୁବକ, ୫୦,୦୦୦ଟଙ୍କାର ଜରିମାନା ଲଗାଇ‌ଲେ ଅଦାଲତ

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଶୁକ୍ରବାର ଦିନ ଜଣେ ବ୍ୟକ୍ତିଙ୍କ ଉପରେ ୫୦,୦୦୦ଟଙ୍କା ଜରିମାନା ଲଗାଇଛନ୍ତି। ସରକାର ଏବେ କରୋନାଭାଇରସର ସଂକ୍ରମଣ ବିରୁଦ୍ଧରେ ପଦକ୍ଷେପ ନେବାରେ ବ୍ୟସ୍ତ ଥିବା ବେଳେ ଯୁବକଙ୍କ ଅଜବ ଦାବି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ତଳେ ସଂକ୍ରମଣକୁ ରୋକିବା ପାଇଁ ମଦ ବୋତଲକୁ ସାନିଟାଇଜ୍ କରିବା ସହ ମଦ ଦୋକାନୀମାନେ ମଧ୍ୟ ନିଜର ହାତ ସାନିଟାଇଜ୍ କରି ଗ୍ରାହକଙ୍କୁ ମଦ ଦେବେ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ଦେଶରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣ ସରକାର ଏବଂ ଲୋକଙ୍କର ନିଦ ହଜ‌ାଇ ଦେଇଥିବା ବେଳେ କେରଳର ଜଣେ ଯୁବକ କରିଥିବା କାମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୂଚନା ମୁତାବକ, ଜ୍ୟୋତିଷ ନାମକ ଜଣେ ବ୍ୟକ୍ତି କେରଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ, ମଦ ଦୋକାନକୁ ବହୁତ ଲୋକ ଆସୁଛନ୍ତି, ଯଦି ମୁଁ କରୋନା ସଂକ୍ରମଣର ଆଶଙ୍କା ଥିବା ସମୟରେ ମଦ କିଣିବାକୁ ଯାଉଛି ତେବେ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି। ମୋ ଭଳି ଅନ୍ୟ ଲୋକମାନେ ମଧ୍ୟ ସମାନ ବିପଦର ସମ୍ମୁଖୀନ ହୋଇପାରନ୍ତି। କରୋନା ଜୀବାଣୁ ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ହାଇକୋର୍ଟ ରାଜ୍ୟ ଅବକାରୀ  ବିଭାଗକୁ ମଦ୍ୟପାନର ଅନଲାଇନ୍ ବିକ୍ରି ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଯାହାଦ୍ବାରା ଘରେ ଲୋକଙ୍କୁ ସିଧାସଳଖ ଭାବେ ମଦ ମିଳିଯିବ ଏବଂ ସେମାନେ ଏହି ରୋଗରୁ ଦୂରେଇ ରହିବେ। ଜ୍ୟୋତିଷଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ଏ.କେ ଜୟଶଙ୍କରନ ନାମ୍ବିଆ ରାଗିଯିବା ସହ ଏହା କି ପ୍ରକାର ଆବେଦନ ବୋଲି ପ୍ରଶ୍ନ କରିଥିଲେ।

याचिका देख जज को आया गुस्सा
oneindia.com

ଏହା ସହ କହିଥିଲେ ଯେ, ଲୋକମାନଙ୍କର ମୌଳିକ ଅଧିକାରକୁ ସୁରକ୍ଷା ଦେବା ନ୍ୟାୟପାଳିକାର ଦାୟିତ୍ୱ, ହେଲେ ଏପରି ଆବେଦନ ଜଣେ କେମିତି କରି ପାରିବ? ଜଷ୍ଟିସ ଏ.କେ ଜୟଶଙ୍କରନ୍ ଏହାକୁ ନ୍ୟାୟପାଳିକାର ଅପବ୍ୟବହାର ବୋଲି କହିଛନ୍ତି। ଜୟଶଙ୍କରନ୍ ଏହି ଆଦେଶରେ ଲେଖିଛନ୍ତି ଯେ, ଦେଶରେ ଗୁରୁତର ରୋଗ ହେବାର ଆଶଙ୍କା ଥାଇ ମଧ୍ୟ ବିଚାରପତି, କୋର୍ଟ କର୍ମଚାରୀ ଏବଂ ଆଇନଜୀବୀ କୋର୍ଟକୁ ଆସୁଛନ୍ତି, ଯାହାଫଳରେ ଲୋକମାନେ ନ୍ୟାୟ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ,  କ’ଣ ଏଭଳି ଆବେଦନ ଉପରେ ଶୁଣାଣି କରିବା ପାଇଁ କୋର୍ଟ ଖୋଲା ଅଛି କି ବୋଲି ପ୍ରଶ୍ନ କରିଥିଲେ।

ମୁଁ ଏହି ଆବେଦନକୁ ଘୃଣା କରେ। ମୁଁ କେବଳ ଆବେଦନକାରୀଙ୍କ ସ୍ୱାର୍ଥପର ସ୍ୱଭାବ ଉପରେ ଦୁଃଖ ପ୍ରକାଶ କରିପାରିବି ବୋଲି କହିବା ସହ ଆବେଦନକାରୀ ନ୍ୟାୟର ପାଳିକାକୁ ଉପହାସ କରିଥିବାରୁ ତାଙ୍କ ଉପରେ ୫୦,୦୦୦ଟଙ୍କାର ଜରିମାନା ଲଗାଇଛନ୍ତି ବିଚାରପତି। ଏହି ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି।

ସମ୍ବନ୍ଧିତ ଖବର