ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିଲା ଅନୁମତି। ୨ ବର୍ଷରୁ ୧୮ବର୍ଷ ବୟସର ପିଲାମାନଙ୍କ ଲାଗି ଜରୁରିକାଳୀନ ବ୍ୟବହାର ପାଇଁ କୋଭାକ୍ସିନ୍ ଟିକାକୁ ଅନୁମତି ଦେଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)। ଏହି ଟିକାକୁ ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ମିଳିତ ଭାବେ ତିଆରି କରିଛନ୍ତି। ଏହି ଟିକାର କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିବା ବେଳେ କରୋନା ଭୂତାଣୁ ବିରୋଧରେ ଏହା ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି।
ହାଇଦ୍ରାବାଦଭିତ୍ତିକ କମ୍ପାନି ଭାରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ଏହି ମାସ ଆରମ୍ଭରେ ଡିସିଜିଆଇକୁ ପରୀକ୍ଷାର ତଥ୍ୟ ଦେଇଥିଲା। ଏବେ ବିସ୍ତୃତ ବିଚାରବିମର୍ଶ ପରେ, କମିଟି ୧୮ବର୍ଷରୁ କମ ବୟସ୍କଙ୍କୁ ଟିକା ଦେବା ପାଇଁ କୋଭାକ୍ସିନକୁ ଅନୁମତି ଦେଇଛି। ଏହି ଟିକାର ଦୁଇଟି ଡୋଜ ୨୦ଦିନର ବ୍ୟବଧାନରେ ପିଲାଙ୍କୁ ଦିଆଯାଇପାରିବ।
ତେବେ ଏ ପର୍ଯ୍ୟନ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିନାହିଁ। ରିପୋର୍ଟ ଅନୁଯାୟୀ ଭାରତ ବାୟୋଟେକ ଜୁଲାଇ ୯ରେ ‘ହୁ’ ନିକଟରେ ଆବଶ୍ୟକ ସମସ୍ତ ଦସ୍ତାବିଜ ଦାଖଲ କରିଥିଲା ଏବଂ ପ୍ରାୟ ଜୁଲାଇ ଶେଷ ସୁଦ୍ଧା ‘ହୁ’ ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଥିଲା।