ପୁତ୍ର ସନ୍ତାନକୁ ଜନ୍ମ ଦେଲେ କୋଭିଡ୍‌-୧୯ ଆକ୍ରାନ୍ତ; ‌ ଗ୍ଲୋବ୍‌ସ, ମାସ୍କ ଓ ପିପିଇ ପିନ୍ଧି କରାଇଲେ ସ୍ତନ୍ୟପାନ

କୋଲକାତା: ଏପ୍ରିଲ୍‌ ୧୩ ତାରିଖରେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ଜାଣିବାକୁ ମିଳିଥିବା ହାୱଡ଼ା ଜିଲ୍ଲାର ୨୪ ବର୍ଷିୟା ମହିଳା ଏକ ଶିଶକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି। ଏପ୍ରିଲ୍‌ ୨୦ ତାରିଖରେ ମହିଳା ଜଣକ ପିଲାଟିକୁ ଜନ୍ମ ଦେଇଥିବା ବେଳେ ମେ ୧ ତାରିଖରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

ମହିଳା ଶିଶୁଙ୍କୁ ଜନ୍ମ ଦେବା ପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ତେବେ, ହସ୍ପିଟାଲ୍‌ରେ ପିଲାଟି ଜନ୍ମ ଲାଭ କରିବା ପରେ ନସିଂ କର୍ମଚାରୀ ଓ ଡାକ୍ତରମାନେ ମିଶି ଶିଶୁ ପୁତ୍ରଟିର ନାମ ‘ଅର୍ମାନ’ ରଖିଛନ୍ତି, ଯାହାର ଓଡ଼ିଆ ଅର୍ଥ ‌ହେଉଛି ‘ଆଶା’।

ପିଲାଟି ଜନ୍ମ ଲାଭ କରିବା ପରେ ତା’ର କୋଭିଡ୍‌ ଆକ୍ରାନ୍ତ ମାଆ ତାକୁ ହାତରେ ଗ୍ଲୋବ୍‌ସ ଓ ମୁହଁରେ ମାସ୍କ ପିନ୍ଧି ସ୍ତନ୍ୟପାନ କରାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ତାଙ୍କର ସଂପୂର୍ଣ୍ଣ ଶରୀର ସାନିଟାଇଜ୍‌ କରାଯାଇଥିବା ବେଳେ ସେ ପିପିଇ କିଟ୍‌ ପରିଧାନ କରିଥିଲେ।

ମହିଳା ଜଣକ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ବେଳେ ହସ୍ପିଟାଲ୍‌ କର୍ମଚାରୀମାନେ ମିଶି ରବୀନ୍ଦ୍ର ନାଥ ଠାକୁରଙ୍କର ଲୋକପ୍ରିୟ ଗୀତ ‘ଆମି ଭୋୟ କରବୋ ନା…’ ଗାଇ ତାଙ୍କୁ ସାହସ ଦେଇଥିଲେ।

ଏ ନେଇ ମହିଳା ଜଣକ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ‘ଡାକ୍ତର ଓ ନର୍ସମାନେ ମୋର ସ୍ବତନ୍ତ୍ର ଯତ୍ନ ନେଇଛନ୍ତି। ସ୍ତନ୍ୟପାନ କରାଇଲେ ମୋ ଛୁଆ ଦେହକୁ ଭାଇରସ୍‌ ଚାଲିଯିବ ଭାବି ମୁଁ ଖୁବ୍ ବ୍ୟସ୍ତ ଥିଲି। ମାତ୍ର ହସ୍ପିଟାଲ୍‌ କର୍ମଚାରୀମାନେ ମୋ‌ତେ ପ୍ରତିଶ୍ରୁତି ଦେଇଥିଲେ ଯେ ସମସ୍ତ ପ୍ରକାରର ଆବଶ୍ୟକୀୟ ଯତ୍ନ ନିଆଯିବ।’

ସମ୍ବନ୍ଧିତ ଖବର