କରୋନାରୁ ସୁରକ୍ଷା ଦେବ କେଉଁ ମାସ୍କ? ଜାଣନ୍ତୁ ଏ ନେଇ କ’ଣ କହିଲେ ଆମେରିକା ବିଶେଷଜ୍ଞ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ତେବେ କରୋନା ଭଳି ମହାମାରୀ ମଧ୍ୟରେ କେଉଁ ମାସ୍କ ପିନ୍ଧିବା ଆବଶ୍ୟକ? କେଉଁ ମାସ୍କ ଆପଣଙ୍କୁ କରୋନାରୁ ସୁରକ୍ଷା ଦେଇପାରିବ? ଏନେଇ ଆମେରିକା ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍ ବା ସିଡିସି ସ୍ପଷ୍ଟ ସୂଚନା ଦେଇଛି । ସିଡିସିର ସୂଚନା ଅନୁସାରେ ଲୋକେ ଲଗାତର ପିନ୍ଧୁଥିବା କପଡା ମାସ୍କ କରୋନାର ନୂଆ ଭାରିଆଣ୍ଟରୁ ଅଧିକ ସୁରକ୍ଷା ଦେଉନାହିଁ ।

ସର୍ଜିକାଲ ମାସ୍କ ଓ ଏନ୍-୯୫ ମାସ୍କ ତୁଳନାରେ କପଡ଼ା ମାସ୍କ ଅଧିକ ସୁରକ୍ଷା ଦେଇନଥାଏ । ଲୋକେ ଏନେଇ ପୂର୍ବରୁ ଅବଗତ ଥିଲେ ମଧ୍ୟ ସିଡିସି ଏନେଇ ସ୍ପଷ୍ଟ ସୂଚନା ଦେଇଛି । ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କିଛି ବିଶେଷଜ୍ଞ କହିଛନ୍ତି, ଭାଇରସକୁ ରୋକିବାରେ କପଡା ମାସ୍କ ସମର୍ଥ ନୁହଁ । ତେଣୁ ଏନ୍-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କାରଣ ଏନ୍-୯୫ ମାସ୍କ ସମସ୍ତ ବାୟୁବାହୀ କଣିକାର ୯୫ ପ୍ରତିଶତ ଫିଲ୍ଟର କରିପାରେ । ଏହା ସହ ସିଡିସି ପକ୍ଷରୁ କୁହାଯାଇଛି, ସଂକ୍ରମିତ ରୋଗୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ଡାକ୍ତର ଓ ନର୍ସମାନେ ନିୟମିତ ସର୍ଜିକାଲ ମାସ୍କ ପିନ୍ଧିବା ଆବଶ୍ୟକ ।

ସିଡିସି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ମାସ୍କ ପିନ୍ଧିବା ସମୟରେ ନିଶ୍ୱାସ ନେବା ଦ୍ୱାରା କାର୍ବନ ଡାଇଅକ୍ସାଇଡର ସ୍ତର ବୃଦ୍ଧି ପାଇନଥାଏ । ଅଧିକ ସମୟ ଏନ୍-୯୫ ମାସ୍କ ପିନ୍ଧିବା ଦ୍ୱାରା ଅସ୍ୱାଭାବିକ ଲାଗିଥାଏ । ତେବେ ଏହି ମାସ୍କକୁ ଥରେ ପିନ୍ଧିବା ପରେ ଖରାରେ ଶୁଖାଇଦେବା ଦରକାର । ଏହା ଦ୍ୱାରା ମାସ୍କରେ ଥିବା ଭୂତାଣୁ ମରିଯାଇଥାଏ । ଥରେ ପିନ୍ଧିବାର କିଛି ଦିନ ପରେ ଆଉ ଥରେ ପିନ୍ଧିବା ଦରକାର ।

ସମ୍ବନ୍ଧିତ ଖବର