ହ୍ବାଟ୍‌ସଆପ୍‌ରେ ମୁହୂର୍ତ୍ତକରେ ମିଳିବ କୋଭିଡ ଟିକା ପ୍ରମାଣପତ୍ର

ନୂଆଦିଲ୍ଲୀ: କୋଭିଡ ଟିକା ପ୍ରମାଣପତ୍ର ଏବେ ହ୍ବାଟ୍‌ସଆପ୍‌ରେ ମୁହୂର୍ତ୍ତକ ମଧ୍ୟରେ ମିଳିଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକଙ୍କ ପାଇଁ କେତେକ ରାଜ୍ୟ ସରକାର କରୋନା ଟିକାନେବାକୁ ବାଧ୍ୟତାମୂଳକ କରିଛନ୍ତି। ସେହିଭଳି ଟିକା ନେଇଥିଲେ ହିଁ କେତେକ ପ୍ରତିଷ୍ଠାନ ଅନ୍ୟମାନଙ୍କୁ ପ୍ରବେଶ ଅନୁମତି ଦେଉଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି। ହ୍ବାଟ୍‌ସଆପ୍‌ ଜରିଆରେ କୋୱିନ୍ ଟିକାକରଣ ପୋର୍ଟାଲରୁ ସହଜରେ ଲୋକମାନେ ସେମାନଙ୍କ ଟିକାକରଣ ପ୍ରମାଣପତ୍ର ପାଇପାରିବେ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା କହିଛନ୍ତି, ଯେଉଁମାନେ ଏହି ପ୍ରମାଣପତ୍ର ଡାଉନଲୋଡ୍‌ କରିବାକୁ ଚାହୁଛନ୍ତି ସେମାନଙ୍କୁ ଗୋଟିଏ ଟେଲିଫୋନ ନମ୍ବରକୁ ହ୍ବାଟ୍‌ସଆପ୍‌ ମେସେଜ୍‌ ପଠାଇ ପାରିବେ। ଏଥିପାଇଁ ଫୋନରେ ପ୍ରଥମେ +୯୧ ୯୦୧୩୧୫୧୫୧୫ ସେଭ୍‌ କରିବାକୁ ହେବ। ଏହାପରେ covid certificate ଟାଇପ୍‌ କରି ପଠାଇବାକୁ ହେବ। ତାହାପରେ ଏକ ଓଟିପି ଆସିବ। ଓଟିପି ଏଣ୍ଟର କରିଲେ ମୁହୂର୍ତ୍ତକ ମଧ୍ୟରେ ପ୍ରମାଣପତ୍ର ମିଳିଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି। ବିଭିନ୍ନ ମହଲରୁ ଏହାକୁ ସ୍ବାଗତ କରାଯାଇଛି। କଂଗ୍ରେସ ନେତା ତଥା ତିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ଏହି ପ୍ରକ୍ରିୟାକୁ ସହଜ ଏବଂ ତ୍ବରିତ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର