ଡେଲ୍‌ଟା ଯୋଗୁ ବିକଶିତ ଟିକା ଚାହିଦା ବଢ଼ୁଛି, କୋଭିସିଲ୍‌ଡ ଅଭାବ ପୂରଣ କରିପାରେ

ୱାଶିଂଟନ୍: ଗବେଷକମାନେ ବର୍ତ୍ତମାନ ଅତ୍ୟଧିକ ସଂକ୍ରମଣକାରୀ ଡେଲ୍‌ଟା ଭାରିଆଣ୍ଟକୁ ଟାର୍ଗେଟ କରି ଅଧିକ ବିକଶିତ ଟିକା ଦାବି କରୁଛନ୍ତି, କାରଣ ପ୍ରତିରୋଧକ କ୍ଷମତା କମୁଥିବା ଲୋକଙ୍କୁ ସଂକ୍ରମିତ କରିବା ସହ ରୋଗୀଙ୍କୁ ଗୁରୁତର କରିଦେବାର କ୍ଷମତା ଏହାର ଅଛି। ତେବେ ନୂତନ ବିକଶିତ ଟିକା ଆସିବା ପୂର୍ବରୁ ଭାରତ-ନିର୍ମିତ କୋଭିସିଲ୍‌ଡ ଉପଯୋଗୀ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି।

ରିପୋର୍ଟ ଅନୁଯାୟୀ ବ୍ରିଟେନରେ ଦେଖାଦେଇଥିବା ତୃତୀୟ ଲହର ଡେଲ୍‌ଟା ଷ୍ଟ୍ରେନ୍ ଯୋଗୁ ହୋଇଛି। ଏହା ବିଶେଷକରି ଟିକା ନେଇ ନ ଥିବା ୧୨ରୁ ୨୪ବର୍ଷ ବୟସ୍କ ବ୍ୟକ୍ତି ଏବଂ ଟିକା ନେଇଥିବା ଲୋକଙ୍କୁ ବି ଆକ୍ରାନ୍ତ କରିଛି। ଇଂଲଣ୍ଡର ପ୍ରାୟ ୯୮,୦୦୦ ଲୋକଙ୍କ ନମୁନା ଉପରେ ଅଧ୍ୟୟନ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଗବେଷକମାନେ କହିଛନ୍ତି, ଡେଲ୍‌ଟା ବିରୋଧରେ ଅଧିକ ଶକ୍ତିଶାଳୀ ଟିକା ବିକାଶର ଆବଶ୍ୟକତା ରହିଛି, କାରଣ ଡେଲ୍‌ଟାର ସ୍ପାଇକ୍ ପ୍ରୋଟିନ୍‌ର ଏଭଳି ମ୍ୟୁଟେସନ ହୋଇଛି, ଯାହାଫଳରେ ବର୍ତ୍ତମାନର ଟିକା ଦ୍ବାରା ସୃଷ୍ଟ ଆଣ୍ଟିବଡ଼ି ତା’ ଉପରେ ପ୍ରଭାବ ଦେଖାଇପାରୁ ନାହିଁ।

ରିଆକ୍ଟ -୧ ନାମକ ଏହି ଅଧ୍ୟୟନରେ ଜୁନ୍ ୨୪ରୁ ଜୁଲାଇ ୧୨ ମଧ୍ୟରେ କୋଭିଡ୍ ପରୀକ୍ଷଣର ଫଳାଫଳକୁ ଦେଖାଯାଇଥିଲା। ଏହି ଅବଧିରେ ବ୍ରିଟେନରେ ସଂକ୍ରମଣ ବୃଦ୍ଧି ପାଇଥିଲା କାରଣ ଡେଲ୍‌ଟା ଭାରିଆଣ୍ଟ ଆଲଫା ଷ୍ଟ୍ରେନ୍‌କୁ ସମ୍ପୂର୍ଣ୍ଣ ରୂପେ ବିସ୍ଥାପିତ କରି ନିଜର ଆସ୍ଥାନ ଜମାଇଥିଲା। ସଂପୂର୍ଣ୍ଣ ଟିକାକରଣ ହୋଇଥିବା ଦେଶଗୁଡ଼ିକରେ ଅଚାନକ ସଂକ୍ରମଣ ବୃଦ୍ଧି ଚିନ୍ତା ବଢ଼ାଇଦେଇଛି। ତେବେ ବିଶ୍ବ ସ୍ତରରେ କେବଳ ୧୩ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ଏକ ପୃଥକ୍‌ ଅଧ୍ୟୟନ ଅନୁଯାୟୀ, ଡେଲ୍‌ଟା ଭାରିଆଣ୍ଟ ସହିତ ଲଢ଼ିବାରେ ଭାରତ ନିର୍ମିତ କୋଭିସିଲ୍‌ଡ ସମର୍ଥ ହୋଇପାରେ।

ସମ୍ବନ୍ଧିତ ଖବର