ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

କୋଲକାତା: ଆଜି ସକାଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ କୋଲକାତାରେ ପରଲୋକ ହୋଇଥିବା ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି କିଡନି ରୋଗରେ ପୀଡ଼ିତ ଥିଲେ।

ଦେଶର ଜଣାଶୁଣା ବାମପନ୍ଥୀ ନେତା ଭାବେ ଜଣାଶୁଣା ଗୁରୁଦାସ ଦାସଗୁପ୍ତା ୧୯୩୬ ମସିହା ନଭେମ୍ବର ୩ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୩ ଥର ରାଜ୍ୟସଭା ଓ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୮୫ରେ ପ୍ରଥମ ଥର ରାଜ୍ୟସଭା ସାଂସଦ ହୋଇଥିଲେ । ଏହା ପରେ ସେ ୧୯୮୮ ଏବଂ ୧୯୯୪ରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ଥର ରାଜ୍ୟସଭା ସଦସ୍ୟ ହୋଇଥିଲେ ।

୨୦୦୪ରେ ଗୁରୁଦାସ ଦାସଗୁପ୍ତା ପ୍ରଥମ ଥର ପଶ୍ଚିମବଙ୍ଗର ପଂଶୁକୁରା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୦୯ରେ ଘାଟକୁଲା ଆସନରୁ ଦ୍ବିତୀୟ ଥରଲାଗି ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହି ସମୟରେ ସେ ଲେକସଭାରେ ସିପିଆଇର ସଂସଦୀୟ ଦଳର ନେତା ମଧ୍ୟ ଥିଲେ । ସେ ପଶ୍ଚିମବଙ୍ଗ କ୍ରିକେଟ ସଂଘର ବି ସଦସ୍ୟ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର