ବିରୋଧୀ ମେଣ୍ଟରେ ଫାଟ: ଟ୍ବିଟର୍‌ରେ କଂଗ୍ରେସ-ଟିଏମ୍‌ସି ମୁହାଁମୁହିଁ

ବିରୋଧୀ ଦଳଙ୍କ ‘ମଙ୍ଗୁଆଳ’ ହେବାକୁ ଲଢ଼େଇ

ନୂଆଦିଲ୍ଲୀ: ବିରୋଧୀ ଦଳମାନଙ୍କ ଏକତାରେ ଏବେ ବଡ଼ ଫାଟ ଦେଖିବାକୁ ମିଳିଛି। ବିରୋଧୀ ଦଳମାନେ ସାମାନ୍ୟ କଥାରେ ପରସ୍ପର ବିରୋଧରେ ରଣହୁଙ୍କାର ଦେଉଥିବାରୁ ତିକ୍ତତା ବଢ଼ୁଛି। ବିରୋଧୀ ମେଣ୍ଟର ମଙ୍ଗୁଆଳ କିଏ ହେବ ସେ ନେଇ କଂଗ୍ରେସ ଏବଂ ଟିଏମ୍‌ସି ମଧ୍ୟରେ ଖୋଲା ଲଢ଼େଇ ଆରମ୍ଭ ହୋଇଗଲାଣି। ପଶ୍ଚିମବଂଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ପରାମର୍ଶଦାତା ରହିଥିବା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସର ନେତୃତ୍ବ ଓ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି। ପ୍ରଶାନ୍ତ ଗତକାଲି ଏକ ଟ୍ବିଟ୍‌ କରି କହିଥିଲେ ଯେ ଲଖିମପୁର ଖେରି ମାମଲାରେ କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳମାନେ ଯେଉଁ ଫାଇଦା ପାଇଯିବେ ବୋଲି ଭାବୁଛନ୍ତି ତାହା ହେବନାହିଁ। ଦୁର୍ଭାଗ୍ୟବଶତଃ ସବୁଠାରୁ ପୁରୁଣା ଦଳ (ଜିଓପି-ଗ୍ରାଣ୍ଡ୍‌ ଓଲ୍‌ଡ ପାର୍ଟି) ରେ ଦୀର୍ଘଦିନ ଧରି ବସା ବାନ୍ଧିଥିବା ସମସ୍ୟା ଏବଂ ସାଂଗଠନିକ ଦୁର୍ବଳତାର କୌଣସି ତ୍ବରିତ ସମାଧାନ ହେବାର ନାହିଁ ବୋଲି ପ୍ରଶାନ୍ତ ଟ୍ବିଟ୍‌ କରିଥିଲେ। ଲଖିମପୁର ଖେରି ହିଂସା ମାମଲାରେ କଂଗ୍ରେସର ଆଶା ନିରାଶାରେ ପରିଣତ ହେବ ବୋଲି ସେ ସ୍ପଷ୍ଟ କହିବା ପରେ ତାଙ୍କ ଟ୍ବିଟ୍‌କୁ ନେଇ କଂଗ୍ରେସ ନେତାମାନେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଏବଂ ଏହାକୁ କେନ୍ଦ୍ର କରି ଟିଏମ୍‌ସି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ଟ୍ବିଟ୍‌ର ଜବାବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କଡ଼ା ମନ୍ତବ୍ୟ ଦେଇଛନ୍ତି। ବାଘେଲ କହିଛନ୍ତି, କଂଗ୍ରେସରେ ନିର୍ବାଚନ ଜିତି ପାରୁନଥିବା କିଛି ନେତାଙ୍କୁ ନିଜ ସହିତ ସାମିଲ କରି ଏହି ଦଳ (ଟିଏମ୍‌ସି) ରାଷ୍ଟ୍ରୀୟ ବିକଳ୍ପ ହେବାକୁ ଆଶା ରଖିଛି। ସେମାନଙ୍କୁ ବହୁତ ବଡ଼ ନିରାଶା ହିଁ ମିଳିବ କାରଣ ଜାତୀୟ ସ୍ତରରେ ବିକଳ୍ପ ପ୍ରସଙ୍ଗର କୌଣସି ତ୍ବରିତ ସମାଧାନ ନଥାଏ।

ବାଘେଲଙ୍କର ଏଭଳି ପ୍ରତିକ୍ରିୟା ନେଇ ଟିଏମ୍‌ସି ଟ୍ବିଟର୍‌ ଆକାଉଣ୍ଟ୍‌ରୁ ମଧ୍ୟ କଡ଼ା ଜବାବ ରଖାଯାଇଛି। ଟିଏମ୍‌ସି ଟ୍ବିଟ୍‌ କରି କହିଛି ‘ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ଭୂପେଶ ବାଘେଲ ଭଲ କଥା କହୁଛନ୍ତି, କିନ୍ତୁ ସେ ତାଙ୍କ ଓଜନଠାରୁ ଅଧିକ କଥା କହୁଛନ୍ତି ଏବଂ ଏଥିରୁ ତାଙ୍କୁ କିଛି ଫାଇଦା ମିଳିବ ନାହିଁ। ହାଇକମାଣ୍ଡ୍‌ଙ୍କୁ ଖୁସି କରିବା ପାଇଁ ସେ ଭଲ ଚେଷ୍ଟା କରୁଛନ୍ତି ବୋଲି ଟିଏମ୍‌ସି କଟାକ୍ଷ କରିଛି। ଏହା ସହିତ ଆମେଥିରେ କଂଗ୍ରେସର ଐତିହାସିକ ପରାଜୟକୁ କଂଗ୍ରେସ କ’ଣ ଏକ ଟ୍ବିଟର୍‌ ଟେଣ୍ଡ୍‌ ମାଧ୍ୟମରେ ଭୁଲିଯାଇ ପାରିବ କି ବୋଲ ଟିଏମ୍‌ସି ପ୍ରଶ୍ନ କରିଛି। ଏହାପରେ କଂଗ୍ରେସ ମୁଖ୍ୟ ପ୍ରବକ୍ତା ରଣଦୀପ ସୁର୍ଯ୍ୟେୱାଲା ଟିଏମ୍‌ସିକୁ ଉଦ୍ଦେଶ୍ୟ କରି କହିଛନ୍ତି, ରାଜନୀତିରେ ସମସ୍ତଙ୍କୁ ପ୍ରୟାସ କରିବା ଅଧିକାର ମିଳିଛି। କିନ୍ତୁ ଉତ୍ତର ପ୍ରଦେଶରେ ପ୍ରିୟଙ୍କା ଗାନ୍ଧି ଏବ ରାହୁଲ ଗାନ୍ଧି ହିଁ ପ୍ରକୃତ ଲଢ଼େଇ ଲଢ଼ୁଛନ୍ତି ବୋଲି ସେ କହିଛନ୍ତି। ଲଖିମପୁର ଖେରି ମାମଲାରେ ଟିଏମ୍‌ସି ହଠାତ୍‌ ସକ୍ରିୟ ହେବାର କିଛି ଅର୍ଥ ନାହିଁ ବୋଲି ସୁର୍ଯ୍ୟେୱାଲା ପରୋକ୍ଷରେ ଟିଏମ୍‌ସିକୁ ଜଣାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଆଗକୁ ବିରୋଧୀ ଦଳର ମଙ୍ଗ ଧରିବା ପାଇଁ କଂଗ୍ରେସ ଏବଂ ଟିଏମ୍‌ସି ମଧ୍ୟରେ ଲଢ଼େଇ ଅତି ରୋଚକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର