୧୨ ଘଣ୍ଟାରେ ବାତ୍ୟା ରୂପ ନେବ ଡିପ୍ ଡିପ୍ରେସନ

ନୂଆଦିଲ୍ଲୀ : ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ବା ଗଭୀର ଅବପାତ ଆହୁରି ଘନୀଭୂତ ହୋଇଛି । ସୋମବାର ଅପରାହ୍ଣ ସାଢେ ୫ଟା ସମୟରେ ଏହା ଆଣ୍ଡାମାନର ମାୟାବନ୍ଦରଠାରୁ ୧୨୦ କିଲୋମିଟର ପୂର୍ବ ଉତ୍ତରପୂର୍ବ ଦିଗରେ ଓ ମିଆଁମାରର ୟାଙ୍ଗୁନଠାରୁ ୪୫୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଥିଲା । ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ବାତ୍ୟାରୂପ ନେବା ପରେ ଏହା ମିଆଁମାର ଉପକୂଳ ଆଡ଼କୁ ଗତି କରିବ । ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ଓ ନିକୋବର ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର କୌଣସି ପ୍ରଭାବ ନାହିଁ .

ଏହି ସାମୁଦ୍ରିକ ବାତ୍ୟାର ନାଁ ଦିଆଯାଇଛି ‘ଅସାନି’ । ଶ୍ରୀଲଙ୍କା ପକ୍ଷରୁ ଏହି ବାତ୍ୟାର ନାମ ଦିଆଯାଇଛି । ଏହାକୁ ୨୦୨୨ର ପ୍ରଥମ ବାତ୍ୟାର ମାନ୍ୟତା ଦିଆଯାଇଛି । ଗତ ବର୍ଷ ଓଡ଼ିଶା, ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିଥିବା ବାତ୍ୟା ଜଓ୍ବାଦର ନାମକରଣ ସାଉଦି ଆରବ ପକ୍ଷରୁ କରାଯାଇଥିବାବେଳେ ତା ପୂର୍ବରୁ ଆସିଥିବା ବାତ୍ୟା ସାହିନର ନାମକରଣ କାତାର ପକ୍ଷରୁ କରାଯାଇଥିଲା । ‘ଅସାନି’ ପରେ ଯଦି କୌଣସି ବାତ୍ୟା ଆସେ ତେବେ ତାହାର ନାମକରଣ ଥାଇଲାଣ୍ଡ ପକ୍ଷରୁ ‘ସିତ୍ରାଙ୍ଗ୍’ ବୋଲି କରାଯିବ ।

ସମ୍ବନ୍ଧିତ ଖବର