ଝଡ଼ତୋଫାନ ମୃତ୍ୟୁସଂଖ୍ୟା ୮୦ ଛୁଇଁଲା:୨୦ ରାଜ୍ୟରେ ଆଲର୍ଟ

ନୂଆଦିଲ୍ଲୀ: ଉତ୍ତର ଓ ଦକ୍ଷିଣ ଭାରତରେ ଗତକାଲି ଅପରାହ୍ନରୁ ଆରମ୍ଭ ହୋଇଥିବା ପ୍ରଳୟଙ୍କରୀ ଝଡ଼ ତୋଫାନ ଓ ବଜ୍ରପାତ ଯୋଗୁଁ ମୃତ୍ୟୁସଂଖ୍ୟା ୮୦ ଛୁଇଁଛି ଏବଂ ଆହତଙ୍କ ସଂଖ୍ୟା ୨୦୦ ଟପିଛି। ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା, ବଜ୍ରପାତ ଓ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୟୁପି, ରାଜସ୍ଥାନ, ଉତ୍ତରାଖଣ୍ଡ ସମେତ ଦେଶର ୨୦ଟି ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟାକୁ ୬୦-୭୦ କିମି ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳ ବୃଷ୍ଟିପାତ ହେବା ସମ୍ଭାବନା ରହିଛି। ତେବେ ସୋମବାର ଓ ମଙ୍ଗଳବାର ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି କିଛି ରାଜ୍ୟରେ ଲୁ’ ବହିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଝଡ଼ ତୋଫାନ ସମୟରେ ବଜ୍ରପାତରେ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଏହି ସମୟରେ ଘରୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ରବିବାର ସନ୍ଧ୍ୟାରେ ବିଶେଷକରି ଉତ୍ତରଭାରତରେ ହୋଇଥିବା ପ୍ରବଳ ଝଡ଼ ତୋଫାନ କାରଣରୁ ମୃତ୍ୟୁ ସଂଖ୍ୟା ୮୦ ଛୁଇଁ ସାରିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି ଏବଂ ଯାତାୟତରେ ମଧ୍ୟ ସମସ୍ୟା ଉପୁଯିଛି।

ସମ୍ବନ୍ଧିତ ଖବର