ଡା‌ଭୋଲକର ହତ୍ୟା ମାମଲାରେ ଅଭିଯୁକ୍ତର ସ୍ବୀକାରୋକ୍ତି : ୨ ଥର ଗୁଳି କରିଛି

ନୂଆଦିଲ୍ଲୀ : ବିଶିଷ୍ଟ ହେତୁବାଦୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଶରଦ କଲାସକର ଏବେ ତାର ଦୋଷ ସ୍ବୀକାର କରିଛି। ଅଭିଯୁକ୍ତ ଶରଦ କହିଛି ସେ ହିଁ ୬୭ ବର୍ଷୀୟ ଡାଭୋଲକରଙ୍କୁ ଗତ ୬ ବର୍ଷ ତଳେ ୨ ଥର ଗୁଳି କରି ହତ୍ୟା କରିଥିଲା। ଥରେ ଡାଭୋଲକରଙ୍କ ମୁଣ୍ଡ ପଛରୁ ସେ ଗୁଳି ଚଳାଇଥିଲା ଏବଂ ସେ ତଳେ ପଡ଼ିଯିବାପରେ ପୁଣିଥରେ ତାଙ୍କ ଡାହାଣ ଆଖି ଉପରକୁ ଗୁଳି ଚଳାଇଥିଲା । ସେହିପରି ଅନ୍ୟ ଜଣେ ହେତୁବାଦୀ ଗୋବିନ୍ଦ ପନ୍‌ସାରେ ଏବଂ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ତାର ସମ୍ପୃକ୍ତି ଥିଲା ବୋଲି ସେ ସ୍ବୀକାର କରିଛି। ଶରଦ କଲାସକରକୁ ଗତବର୍ଷ ଅକ୍ଟୋବରରେ ଅନ୍ୟ ଏକ ମାମଲାରେ ଗିରଫ କରାଯାଇଥିଲା। ‌ସେବେଠାରୁ ସେ ଜେଲ୍‌ରେ ଅଛି। ତେବେ ତାକୁ ଜେରା ସମୟରେ ସେ ଡାଭୋଲକରଙ୍କ ହତ୍ୟା ସମ୍ପର୍କରେ ବିସ୍ତୃତ ଭାବେ କହିଛି। ୨୦୧୩ ଅଗଷ୍ଟରେ ପୁନେରେ ଡାଭୋଲକରଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ୨୦୧୫ ଫେବ୍ରୁଆରିରେ ଗୋବିନ୍ଦ ପନ୍‌ସାରେ ଏବଂ ସେହିବର୍ଷ ଅଗ‌ଷ୍ଟରେ କୋହ୍ଲାପୁରରେ ଏମ୍‌ଏମ୍‌ କୁଲବର୍ଗିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୌରୀ ଲଙ୍କେଶଙ୍କୁ ୨୦୧୭ ସେପ୍ଟେମ୍ବରରେ ବେଙ୍ଗାଲୁରୁରେ ତାଙ୍କ ବାସଭବନ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର