ଖାଦ୍ୟ ସାମଗ୍ରୀ କ୍ରୟ କରି ବସ୍‌ରେ ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ସିଆଇଏସ୍‌ଏଫ୍‌ ଯବାନଙ୍କ ଉପରେ ନକ୍ସଲ କଲେ ହାମ୍‌ଲା; ଜଣେ ଯବାନ ସହିଦ, ୪ ସାଧାରଣ ନାଗରିକ ମୃତ

ରାୟପୁର (ଛତିଶଗଡ଼): ଆସନ୍ତା ନଭେମ୍ବର ୧୨ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ସାମନା କରିବାକୁ ଯାଉଥିବା ଛତିଶଗଡ଼ରେ ଆଜି ପୁଣି ଥରେ ନକ୍ସଲ ବାହିନୀ ଘଟାଇଛନ୍ତି ବର୍ବର କାଣ୍ଡ। ନିର୍ବାଚନ କାର୍ଯ୍ୟରେ ମୁତୟନ ହୋଇଥିବା ଏକ ବସ୍‌କୁ ଦାନ୍ତେଓ୍ଵାଡ଼ା ଜିଲ୍ଲା ଅର୍ନ୍ତଗତ ବାଚିଲିରେ ଆଜି (ଗୁରୁବାର) ମଧ୍ୟାହ୍ନରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇ ଉଡ଼ାଇ ଦେଇଛନ୍ତି। ଏକ ପାହାଡ଼ିଆ ରାସ୍ତାର ବୁଲାଣିରେ ବସ୍‌ଟି ଯାଉଥିବା ବେଳେ ନକ୍ସଲମାନେ ଏହା ଉପରେ ଆଇଇଡି ବିସ୍ଫୋରଣ କରିଥିବା, ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି। ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଏହି ବିସ୍ଫୋରଣରେ ଜଣେ ସିଆଇଏସ୍‌ଏଫ୍‌ ଯବାନ ସହିଦ୍‌ ହୋଇଥିବା ବେଳେ ଅନ୍ୟ ୪ ଜଣ ସାଧାରଣ ନାଗରିକଙ୍କ ମୁତ୍ୟୁ ହୋଇଯାଇଛି। ଏଥିସହ ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟ ୨ ଜଣ ସିଆଇଏସ୍‌ଏଫ୍‌ ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ନକ୍ସଲ ହାମଲା ସଂପର୍କରେ ସୂଚନା ଦେଇ ଦାନ୍ତେଓ୍ଵାଡ଼ା ପୁଲିସ୍‌ ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି ଯେ ନିର୍ବାଚନ କାର୍ଯ୍ୟ ପାଇଁ ମୁତୟନ ହୋଇଥିବା ଏହି ବସ୍‌ରେ ସିଆଇଏସ୍‌ଏଫ୍‌ ଯବାନମାନେ ସ୍ଥାନୀୟ ବଜାରରୁ ସେମାନଙ୍କର ଖାଦ୍ୟ ସାମଗ୍ରୀ କ୍ରୟ କରି ଆକାଶନଗରରେ ଥିବା ସେମାନଙ୍କର ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ନକ୍ସଲ ବାହିନୀ ସେମାନଙ୍କ ବସ୍‌ ଉପରେ ଆଇଇଡି ବିସ୍ଫୋରଣ ଘଟାଇଥିଲେ। ନକ୍ସଲ ବାହିନୀର ଏହି ଆକ୍ରମଣରେ ପ୍ରାଣ ହରାଇଥିବା ୪ ଜଣ ସାଧାରଣ ନାଗରିକଙ୍କ ମଧ୍ୟରେ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନର ଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ। ଅନ୍ୟପକ୍ଷରେ ନକ୍ସଲଙ୍କ ବିସ୍ଫୋରଣରେ ସହିଦ୍‌ ହୋଇଥିବା ସିଆଇଏସ୍‌ଏଫ୍‌ ଯବାନ ଜଣକ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ କାର୍ଯ୍ୟ ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଛତିଶଗଡ଼ରେ ମୁତୟନ ହୋଇଥିଲେ। ଛତିଶଗଡ଼ରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ବିରୋଧକରି ନକ୍ସଲମାନେ ଏପରି ହିଂସାକାଣ୍ଡ ଘଟାଉଥିବା କୁହାଯାଉଛି।

ଅନ୍ୟପକ୍ଷରେ ନକ୍ସଲଙ୍କ ଏହି ହାମ୍‌ଲା ପରେ ରାଜ୍ୟର ସମସ୍ତ ବରିଷ୍ଠ ପୁଲିସ୍‌ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଛି ପରିସ୍ଥିତିର ସମୀକ୍ଷା କରିବା ସହ ସମଗ୍ର ଅଞ୍ଚଳରେ ବ୍ୟାପକ କମ୍ବିଂ ଓ ସର୍ଚ୍ଚ ଅପସେନ୍‌ ଆରମ୍ଭ କରିଛନ୍ତି। ଛତିଶଗଡ଼ ପୁଲିସ୍‌ ଆଇଜି ଭି ସିହ୍ନା ଗଣମାଧ୍ୟମକୁ କହିଛନ୍ତି ଯେ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନକୁ ଭଣ୍ଡୁର କରିବା ଲକ୍ଷ୍ୟରେ ନକ୍ସଲମାନେ ଏପରି ହିଂସା ଘଟାଉଛନ୍ତି। ହେଲେ, ଆମେ ସେମାନଙ୍କୁ ଏଥିରେ ସଫଳ ହେବାକୁ ଦେବୁ ନାହିଁ। ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପ୍ରକ୍ରିୟାକୁ ସଂପନ୍ନ କରାଇବୁ।


ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ଅଭିଯାନରେ ଛତିଶଗଡ଼ ଆସି ଆସନ୍ତା ଶନିବାର ଦିନ ଜଗଦଲପୁର ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଠିକ୍‌ ଦିନକ ପୂର୍ବରୁ ପ୍ରସ୍ତାବିତ ନିର୍ବାଚନୀ ସଭା ସ୍ଥଳ ଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ନକ୍ସଲ ବାହିନୀ ପକ୍ଷରୁ ଆଜି ହୋଇଥିବା ହାମ୍‌ଲା ସୁରକ୍ଷା ବାହିନୀ ଆଖିରୁ ନିଦ ହଜେଇ ଦେଇଛି। ଉଲ୍ଲେଖଯୋଗ୍ୟ, ଏହ ଘଟଣାର ୮ ଦିନ ପୂର୍ବରୁ ଦାନ୍ତେଓ୍ଵାଡ଼ାକୁ ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିବା ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ଙ୍କୁ ମଧ୍ୟ ନକ୍ସଲମାନେ ଗୁଳି କରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର