ରାଜ୍ୟ ଉପରେ ୪୦ ହଜାର କୋଟି ଟଙ୍କା ଋଣଭାର ଥିବା ବେଳେ ଅଫିସର୍‌ଙ୍କ ପାଇଁ ୩୨ଟି ‘କିଆ କାର୍ଣ୍ଣିଭାଲ୍‌’ କାର୍‌ କିଣିଛନ୍ତି ତେଲେଙ୍ଗାନା ସରକାର

ହାଇଦ୍ରାବାଦ: କରୋନାଭାଇରସ୍‌ ସଙ୍କଟର ସମ୍ମୁଖୀନ ହେବା ସହ ରାଜ୍ୟ ଉପରେ ୪୦,୦୦୦ କୋଟି ଟଙ୍କା ଋଣଭାର ଥିବାବେଳେ ତେଲେଙ୍ଗାନା ସରକାର ୩୨ଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ନିମନ୍ତେ ମହଙ୍ଗା କାର୍‌ ଖରିଦ କରିଥିବା କଥା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି କି, ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସେମାନଙ୍କୁ ୩୨ଟି କିଆ କାର୍ଣ୍ଣିଭାଲ୍‌ କାର୍‌ କିଣି ଦେଇଛନ୍ତି। ପ୍ରତି କାର୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ସେମାନେ କହିଛନ୍ତି।

ନିଜ ବାସଭବନ ‘ପ୍ରଗତି ଭବନ’ଠାରେ ମୁଖ୍ୟମନ୍ତ୍ରୀ ଏହି କାର୍‌ଗୁଡ଼ିକୁ ଦେଖି ସାରିବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏବଂ ଅନ୍ୟ ସରକାରୀ ଅଧିକାରୀମାନଙ୍କ ଉପସ୍ଥିତିରେ ତେଲେଙ୍ଗାନା ପରିବହନ ମନ୍ତ୍ରୀ ପୁବ୍ବାଦା ଅଜୟ କୁମାର ସେଗୁଡ଼ିକର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ।

Representative Image Courtesy of Carlo.in

ରାଜ୍ୟର ଅମଲାମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ରାଓଙ୍କର ଏହି ନିଷ୍ପତ୍ତିକୁ ବିଜେପି ‘ଅପରାଧିକ ଅପଚୟ’ ବୋଲି କହିଛି। ଦଳର ମୁଖପାତ୍ର କୃଷ୍ଣ ସାଗର ରାଓ ପଚାରିଛନ୍ତି, ୩୨ ବିଳାସମୟ କାର୍‌ ଖରିଦ କରିବାକୁ ମୁଖ୍ୟମନ୍ତ୍ରୀ ୧୧ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟ କରିବାକୁ କିଭଳି ଯଥାର୍ଥ ମଣିଲେ?

କୋଭିଡ୍‌-୧୯ ଚିକିତ୍ସା ବ୍ୟୟବାବଦ ଋଣ ବୋଝରେ ଅନେକ ଗରିବ ଲୋକ ମରୁଥିବା ବେଳେ ଏଭଳି ବିପଜ୍ଜନକ ମହାମାରୀ ବେଳେ ସେ ସର୍ବସାଧାରଣଙ୍କ ଅର୍ଥର ବ୍ୟାପକ ଅପଚୟ କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ନିଷ୍ପତ୍ତି ବିଚିତ୍ର ଓ ଅକଳ୍ପନୀୟ ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ଡି ଶ୍ରବଣ କୁମାର ସରକାରଙ୍କର ଏହି ନିଷ୍ପତ୍ତିକୁ ଜନତାଙ୍କ ପ୍ରତି ତାତ୍ସଲ୍ୟତା ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ଚଳନ୍ତି ରାଜ୍ୟ ତେଲେଙ୍ଗାନାକୁ ତ ସେମିତି ‘କେସିଆର୍‌’ ୪୦ ହଜାର କୋଟି ଟଙ୍କାର ଋଣଯନ୍ତାକୁ ଠେଲି ଦେଇଛନ୍ତି। ଆଗରୁ ମଧ୍ୟ ସରକାରଙ୍କ ପାଖରେ ଭଲ କାର୍ ସବୁ ଅଛି। ସର୍ବସାଧାରଣଙ୍କ ଅର୍ଥରେ ସାଧାରଣ ପରିବହନ ନିମନ୍ତେ ବସ୍‌ କିଣା ନ ଯାଇ ଅମଲାମାନଙ୍କ ସକାଶ କାର୍‌ କିଣିବାରେ କି ପ୍ରୟୋଜନ ଥିଲା?

ସମ୍ବନ୍ଧିତ ଖବର