ଦିଲ୍ଲୀ ନିର୍ବାଚନରେ ବିବାଦୀୟ ବୟାନ: କିଏ କ’ଣ କହିଥିଲେ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୮ଟି ଆସନରେ ଜିତିଛି। ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ସମୟରେ ବିଜେପି ନେତାମାନେ ଦେଇଥିବା ବିବାଦୀୟ ବୟାନ ବିଜେପି ପାଇଁ ଅତ୍ୟନ୍ତ ଭାରି ପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକଥା ସ୍ବୀକାର କରିଛନ୍ତି। ବିଜେପି ନେତାଙ୍କ ବିବାଦୀୟ ବୟାନ ପାଇଁ ଦଳର କ୍ଷତି ହୋଇଛି ବୋଲି ସେ କହିଛନ୍ତି। ଦିଲ୍ଲୀରେ ପ୍ରଚାର ବେଳେ ବିଜେପି ନେତାମାନେ ତୁହାକୁ ତୁହା ବିବାଦୀୟ ଏବଂ ଉତ୍ତେଜକ ବୟାନ ଦେଇଥିଲେ। ସେଥିମଧ୍ୟରୁ ଜଣେ ହେଉଛନ୍ତି ବିଜେପି ନେତା ପ୍ରବେଶ ବର୍ମା। ପଶ୍ଚିମ ଦିଲ୍ଲୀ ସାଂସଦ ପ୍ରବେଶ ବର୍ମା ଏକ ବିବାଦୀୟ ବୟାନ ଦେଇ କହିଥିଲେ, ଶାହିନ୍‌ ବାଗ୍‌ ଆନ୍ଦୋଳନକାରୀମାନେ ଘରେ ପଶି ଦୁଷ୍କର୍ମ ଏବଂ ହତ୍ୟା କରିପାରନ୍ତି। ଏଭଳି ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ନିର୍ବାଚନୀ କଟକଣା ଜାରି କରାଯାଇଥିଲା। ପ୍ରବେଶ ବର୍ମା ମଧ୍ୟ କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ ସହ ତୁଳନା କରିଥିଲେ। ସେହିପରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ନିର୍ବାଚନୀ ରୢାଲିରେ କହିଥିଲେ ‘ଗଦ୍ଦାରୋଁକୋ ଗୋଲି ମାରୋ’। ଏଭଳି ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ମଧ୍ୟ ନିର୍ବାଚନୀ କଟକଣା ଜାରି ହୋଇଥିଲା। ଦିଲ୍ଲୀର ମଡେଲ ଟା‌ଉନ୍‌ରୁ ନିର୍ବାଚନ ଲଢ଼ିଥିବା ବିଜେପି ନେତା କପିଲ ମିଶ୍ରା ଏକ ବିବାଦୀୟ ଟ୍ବିଟ୍‌ କରି ଦିଲ୍ଲୀ ନିର୍ବାଚନକୁ ଭାରତ-ପାକିସ୍ତାନ ମ୍ୟାଚ୍‌ ସହ ତୁଳନା କରିଥିଲେ। ପରେ ଇସିଙ୍କ ନିର୍ଦ୍ଦେଶକ୍ରମେ ଟ୍ବିଟର ଏହି ବିବାଦୀୟ ଟ୍ବିଟ୍‌କୁ ପ୍ରତ୍ୟାହାର କରିଥିଲା ଏବଂ ନିର୍ବାଚନ କମିସନ କପିଲ ମିଶ୍ରାଙ୍କ ବିରୋଧରେ ୪୮ ଘଣ୍ଟାର ନିର୍ବାଚନୀ ପ୍ରଚାର କଟକଣା ଲଗାଇଥିଲେ।

ଜନକପୁରୀରେ ପ୍ରବେଶ ବର୍ମା ଏକ ନିର୍ବାଚନୀ ରୢାଲିରେ ବିବାଦୀୟ ବୟାନ ଦେଇଥିବାରୁ ଏଠାରେ ବିଜେପି ପ୍ରାର୍ଥୀ ଆଶିଷ ସୁଦ ଆପ୍‌ ପ୍ରାର୍ଥୀଙ୍କଠାରୁ ହାରିଥିଲେ। ରିଥାଲାରେ ଅନୁରାଗ ଠାକୁରଙ୍କ ବିବାଦୀୟ ବୟାନ ପାଇଁ ବିଜେପିର ମନୀଷ ଚୌଧୁରୀଙ୍କୁ ହାରିବାକୁ ପଡ଼ିଲା। ସେହିପରି ମଡେଲ୍‌ ଟାଉନ୍‌ରେ ବି କପିଲ ମିଶ୍ରାଙ୍କ ବିବାଦୀୟ ବୟାନ ପାଇଁ ବିଜେପି ହାରିଲା।

ସମ୍ବନ୍ଧିତ ଖବର