ଦିଲ୍ଲୀରେ ୫ ଦିନିଆ ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ବାରାଣ୍ଟିନ୍‌ ନିର୍ଦ୍ଦେଶ ପ୍ରତ୍ୟାହାର

ଦିଲ୍ଲୀ ସରକାରୀ ହସ୍ପିଟାଲ୍‌ କର୍ମଚାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରତ୍ୟେକ କୋଭିଡ୍‌ ରୋଗୀ ୫ ଦିନିଆ ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ବାରାଣ୍ଟିନ୍‌ରେ ରହିବେ ବୋଲି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ୍‌ ବୈଜଲ୍‌ ଗତକାଲି ନର୍ଦ୍ଦେଶ ଦେଇଥିଲେ। ତେବେ ବୈଜଲ୍‌ଙ୍କ ଏହି ନିର୍ଦ୍ଦେଶକୁ କେଜ୍ରିୱାଲ୍‌ ସରକାର ପ୍ରବଳ ବିରୋଧ କରିବାରୁ ବୈଜଲ୍‌ ଆଜି ତାଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଆଜି ଦିଲ୍ଲୀ ସରକାରଙ୍କ କିଛି ବରିଷ୍ଠ ମନ୍ତ୍ରୀ ଉପରାଜ୍ୟପାଳ ଅନିଲ୍‌ ବୈଜଲଙ୍କୁ ଭେଟିଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଉପରାଜ୍ୟପାଳ ଗ୍ରହଣ କରିବାପାଇଁ ଅରାଜି ହେବାପରେ ଶେଷରେ ବୈଠକ ବସିଥିଲା। ତେବେ ବୈଠକ ପରେ ବୈଜଲ୍‌ କୋଭିଡ୍‌ ରୋଗୀଙ୍କ ପାଇଁ ଆନୁଷ୍ଠାନିକ ବାଧ୍ୟତାମୂଳକ କ୍ବାରାଣ୍ଟିନ୍‌ ନିର୍ଦ୍ଦେଶ ପ୍ରତ୍ୟାହାର କରି‌ନେଇଛନ୍ତି। ବୈଜଲ୍‌ ଏକ ଟ୍ବିଟ୍‌ କରି କହିଛନ୍ତି, କେବଳ ଯେଉଁ କୋଭିଡ୍‌ ରୋଗୀଙ୍କ ପାଇଁ ହସ୍ପିଟାଲ୍‌ରେ ରହିବା ଆବଶ୍ୟକ ନାହିଁ ଏବଂ ଯେଊଁମାନେ ହୋମ୍‌ ଆଇସୋଲେସନ୍‌ରେ ରହିବାପାଇଁ ଆବଶ୍ୟକୀୟ ସୁବିଧା ନାହିଁ କେବଳ ସେହିମାନେ ହିଁ ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ବାରାଣ୍ଟିନ୍‌ରେ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ମଧ୍ୟ ଏନେଇ ସ୍ପ‌ଷ୍ଟ କରାଯାଇଛି। ଉଲ୍ଲେଖ‌ଯୋଗ୍ୟ ଦିଲ୍ଲୀ ଉପରାଜ୍ୟପାଳ ପୂର୍ବରୁ କହିଥିଲେ ଯେ, ହୋମ୍‌ ଆଇସୋଲେସନ୍‌ ଦ୍ବାରା ଦିଲ୍ଲୀରେ ସଂକ୍ରମଣ ବଢ଼ିବାର ଭୟ ରହିଛି ତେଣୁ ଦିଲ୍ଲୀରେ କୋଭିଡ୍‌ ରୋଗୀଙ୍କ ପାଇଁ ୫ ଦିନିଆ ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ବାରାଣ୍ଟିନ୍‌ ପାଇଁ ସେ ଘୋଷଣା କରିଥିଲେ। ଅନ୍ୟପକ୍ଷେ ଦିଲ୍ଲୀରେ ସଂକ୍ରମଣ ବଢ଼ି ଚାଲିଥିବାରୁ ଦିଲ୍ଲୀରେ ସମସ୍ତ ସରକାରୀ ହସ୍ପିଟାଲ୍‌ ଗୁଡ଼ିକରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ‌କେବଳ ଅତି ଜରୁରୀ ଥିଲେ ଛୁଟି ନେବାପାଇଁ ଅନୁମତି ମିଳିବ।

ସମ୍ବନ୍ଧିତ ଖବର