ପାକିସ୍ତାନୀ ମହିଳାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨ ସପ୍ତାହ ମଧ୍ୟରେ ଭାରତ ଛାଡ଼

ନୂଆଦିଲ୍ଲୀ: ଭାରତରେ ଅବସ୍ଥାନ କରୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ୨ ସପ୍ତାହ ମଧ୍ୟରେ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୨୦୦୫ ମସିହାରେ ଜଣେ ଭାରତୀୟ ଯୁବକଙ୍କୁ ବିବାହ କରିଥିବା ୩୭ ବର୍ଷୀୟା ପାକିସ୍ତାନୀ ମହିଳା ଏବେ ୨ ପୁଅଙ୍କ ସହ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି। ତେବେ ଉକ୍ତ ମହିଳାଙ୍କ ବିରୋଧରେ ଥିବା ସୁରକ୍ଷା ରିପୋର୍ଟ ଆଧାରରେ ତାଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ସଲିସିଟର ଜେନେରାଲ୍‌ ମହେନ୍ଦ୍ର ଆଚାର୍ଯ୍ୟ ଏବଂ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲ୍‌ର ଅନୁରାଗ ଆହ୍ଲୁୱାଲିଆ କହିଛନ୍ତି ଯେ ବିଭିନ୍ନ ସୁରକ୍ଷା ସଂସ୍ଥା ଦ୍ବାରା ଉକ୍ତ ମହିଳାଙ୍କ ବିରୋଧରେ ଜାରି ହୋଇଥିବା ରିପୋର୍ଟ ଆଧାରରେ ଏଭଳି ପଦକ୍ଷେପ ନିଆଯାଇଛି । ଏହି ପାକିସ୍ତାନୀ ମହିଳା ଏବଂ ତାଙ୍କ ସ୍ବାମୀ କେନ୍ଦ୍ର ସରକାରଙ୍କ ନୋଟିସ୍‌ ରଦ୍ଦ କରିବା ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବାବେଳେ କୋର୍ଟ ତାଙ୍କ ଆବେଦନ ରଦ୍ଦ କରି ୨ ସପ୍ତାହ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନମାନିଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର