କେନ୍ଦ୍ରୀୟ ଫୋର୍ସର ଗୁଳିମାଡ଼ରେ ପ୍ରାଣ ହରାଇଥିବା ୪ ଜଣ ଖରାପ ପିଲା ଥିଲେ: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ

କୋଲକାତା: ପଶ୍ଚିମବଙ୍ଗର ବାରନଗରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଭାରତୀୟ ଜନତା ପାର୍ଟି (ବିଜେପି)ର ପଶ୍ଚିମବଙ୍ଗ ମୁଖ୍ୟ ଦିଲୀପ ଘୋଷ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଯେଉଁମାନେ ଗତକାଲି ସିତଲକୁଚିରେ ପ୍ରାଣ ହରାଇଥିଲେ, ସେମାନେ ଖରାପ ପିଲା ଥିଲେ’ | ସେ କହିଛନ୍ତି, ‘କିଛି ଖରାପ ପିଲା ମହିଳାମାନଙ୍କ ଶାଢ଼ୀ ଟାଣନ୍ତି, ଆଉ ଅଭିଯୋଗ କଲେ ଦିଦି (ମମତା ବାନାର୍ଜୀ) କୁହନ୍ତି ଯେ ଖରାପ ପିଲାମାନେ ଏଭଳି କରନ୍ତି | ତେବେ ପ୍ରଶ୍ନ ଉଠୁଛି ଯେ ଏହି ଖରାପ ପିଲାମାନେ କିଏ? ସେମାନେ କେଉଁଠାରୁ ଆସିଥିଲେ? ଯେଉଁମାନେ ଗତକାଲି ସୀତାଲୁଚିରେ ପ୍ରାଣ ହରାଇଥିଲେ, ସେମାନେ ଖରାପ ପିଲା ଥିଲେ | ଅସ୍ଥିରତା ସୃଷ୍ଟି କରିବାକୁ ଟିଏମସି ଗୁଣ୍ଡା ପଠାଇଥିଲା’ ।

ଦିଲ୍ଲୀପ ଘୋଷ କହିଛନ୍ତି ଯେ ‘ଯଦି ବିଜେପି କ୍ଷମତାକୁ ଆସେ ତେବେ ଏସଆଇଟି ଗଠନ କରିବ | ଗରିବ ଲୋକଙ୍କୁ ହଇରାଣ କରୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଆମେ ଜେଲରେ ରଖିବୁ’। ସୂଚନା ଥାଉ କି ଗତକାଲି ସିତଲକୁଚି ନିର୍ବାଚନମଣ୍ଡଳୀରେ ବୁଥ୍‌ ନମ୍ବର ୧୨୬ରେ ଜଣେ ଭୋଟର୍‌ ହଠାତ୍‌ ବୁଥ୍‌ ପରିସରରେ ଅଚେତ ହୋଇପଡ଼ିଥିଲେ। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୁଲ୍‌ ଖବର ପ୍ରସାରିତ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଆଇଏସ୍‌ଏଫ୍‌ ଯବାନ ମାଡ଼ ମାରିବାରୁ ସେ ଚେତା ହରାଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଗୁଜବ ହୋଇଥିଲା।

ଏହାପରେ ‌ଶହ ଶହ ଲୋକ ବୁଥ୍‌ ଘେରାଉ କରିଥିଲେ ଏବଂ ସୁରକ୍ଷାକର୍ମୀଙ୍କଠାରୁ ଅସ୍ତ୍ର ଛଡ଼ାଇ ନେବାକୁ ପ୍ରୟାସ କରିଥିଲେ | ସେମାନେ ନିର୍ବାଚନ ଅଧିକାରୀ ଏବଂ ବୁଥ୍ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ହିଂସା ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ ସମସ୍ତ ମୃତକଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ ଥିଲା । ତେବେ ଟିଏମସି ପକ୍ଷରୁ ସେମାନଙ୍କୁ ସମର୍ଥକ ବୋଲି କୁହାଯାଇଥିଲା |

ସମ୍ବନ୍ଧିତ ଖବର