ଏମ୍ସରେ ନିଆଁ ଲାଗିବା ଜାଣିବା ପରେ ବି ଡାକ୍ତର ନିଜ କର୍ତ୍ତବ୍ୟରେ କରି ନଥିଲେ ହେଳା, ସୁରକ୍ଷିତ ଭାବେ ମହିଳାଙ୍କ କରାଇଥିଲେ ପ୍ରସବ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଗତ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ପ୍ରଥମ ଓ ଦ୍ଵିତୀୟ ମହଲା ସ୍ଥିତ ଟିଚିଂ ବ୍ଲକ୍‌ୟରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିଲା। ଅଗ୍ନିଶମ ବିଭାଗର ୩୪ଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଦୀର୍ଘ ୫ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ସମୟରେ ଏକ ଡାକ୍ତରୀଦଳ ଜଣେ ମହିଳାଙ୍କ ପ୍ରସବ କରାଇବାରେ ବ୍ୟସ୍ତ ଥିଲେ। ଏବଂ  ଏକ ସୁସ୍ଥ କନ୍ୟା ସନ୍ତାନ ଜନ୍ମ ନେଇଥିଲା।

ଏମ୍ସରେ ଅଗ୍ନିକାଣ୍ଡ ଘଟିବା ପରେ ଏମର୍ଜେନ୍‌ସି ୱାର୍ଡ ଏବଂ ଅର୍ଥୋପେଡିକ ୱାର୍ଡରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ସେହି ରୋଗୀମାନଙ୍କୁ ବି ସ୍ଥାନାନ୍ତର କରାଯାଇଥିଲା ଯେଉଁମାନେ କି ଭେଣ୍ଟିଲେଟରରେ ଥିଲେ। ସନ୍ଧ୍ୟାରେ ଏମ୍ସରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ଜୋରସୋର୍‌ରେ ନିଆଁକୁ ଆୟତ୍ତ କରିବାର ବ୍ୟସ୍ତ ଥିଲେ। ଏହି ସମୟରେ ନର୍ସ ଓ ଡାକ୍ତର ଅନ୍ତସତ୍ତ୍ୱା ମହିଳାମାନଙ୍କୁ ଅନ୍ୟ ଓ୍ଵାର୍ଡକୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିଲେ। ଏହି ସମୟରେ ଗତ ଶନିବାର ସକାଳେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା।

ଡାକ୍ତରଙ୍କ କହିବାନୁସାରେ, ୩୦ବର୍ଷର ଅନ୍ତସତ୍ତ୍ୱା ମହିଳାଙ୍କୁ ଏମ୍ସର ଡାକ୍ତର ରାଜେନ୍ଦ୍ର ପ୍ରସାଦ ନେତ୍ର ବିଜ୍ଞାନ କେନ୍ଦ୍ରର ଅପରେସନ୍‌ ଥିଏଟରକୁ ଅଣାଯାଇଥିଲା। ରାତି ପାଖାପାଖି ୯.୩୦ରେ ଏମ୍ସ ଚାରିପଟେ ନିିଆଁ ଭରି ଯାଇଥିବା ସମୟରେ ଉକ୍ତ ଅନ୍ତସତ୍ତ୍ୱା ମହିଳା ଏକ ସୁସ୍ଥ କନ୍ୟା ଶିଶୁକୁ ଜନ୍ମ ଦେଇଥିଲେ। ଉକ୍ତ ମହିଳାଙ୍କ ପରିବାର ଏଭଳି ପରିସ୍ଥିତିରେ ଡାକ୍ତର ଓ ନର୍ସଙ୍କ କର୍ତ୍ତବ୍ୟକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର