ସମଲିଙ୍ଗୀ ସଂପର୍କ ଲଢ଼େଇ ସରିନି

ବିବାହ ବିପକ୍ଷରେ କେନ୍ଦ୍ର, ଏଲ୍‌ଜିବିଟି ସଂପ୍ରଦାୟ କରିବ ପିଟିସନ୍‌

ନୂଆଦିଲ୍ଲୀ: ସମଲିଙ୍ଗୀ ସଂପର୍କକୁ ସୁପ୍ରିମ୍‌କୋର୍ଟ ବୈଧ ବୋଲି ରାୟ ଦେବା ପରେ ଏବେ ଏଲ୍‌ଜିବିଟି ସଂପ୍ରଦାୟ ପରବର୍ତ୍ତୀ ନ୍ୟାୟିକ ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସମଲିଙ୍ଗୀ ବିବାହ, ସଂପତ୍ତି ଅଧିକାର, ବୀମା ସୁବିଧାରେ ଭାଗ ପାଇବା ଭଳି କ୍ଷେତ୍ରରେ ମଧ୍ୟ ସମାନ ସୁବିଧା ପାଇଁ ସେମାନେ ସ୍ୱର ଉଠାଇବେ ବୋଲି ବିଚାର କରୁଛନ୍ତି। ଏଥିପାଇଁ ସେମାନେ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ସଜବାଜ ଆରମ୍ଭ କରିଦେଲେଣି। କିନ୍ତୁ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ ସପକ୍ଷରେ ନଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଧାରା ୩୭୭ ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କ ଉପରେ ସବୁ ଛାଡ଼ିଦେଇଥିଲେ। ସୁପ୍ରିମ୍‌କୋର୍ଟ ଯାହା କିଛି ନିଷ୍ପତ୍ତି ନେବେ ତାହା ହିଁ ଚୂଡ଼ାନ୍ତ ହେବ ବୋଲି ସରକାର ସ୍ପଷ୍ଟ କରିଥିଲେ। ତେବେ ସର୍ବୋଚ୍ଚ ଅଦାଲତ ଗତ ଗୁରୁବାର ସମଲିଙ୍ଗୀ ସଂପର୍କକୁ ନେଇ ଚୂଡ଼ାନ୍ତ ରାୟ ଦେଇସାରିଛନ୍ତି। ସମଲିଙ୍ଗୀ ସଂପର୍କ ଏଣିକି ଅପରାଧ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଯଦିଓ ସୁପ୍ରିମ୍‌କୋର୍ଟଙ୍କ ଏଭଳି ରାୟକୁ ସରକାର ମାନିନେଇଛନ୍ତି, ସମଲିଙ୍ଗୀ ବିବାହକୁ କିନ୍ତୁ ଗ୍ରହଣ କରିବେ ନାହିଁ ବୋଲି ସଂକେତ ଦେଇଛନ୍ତି। ତେଣୁ ସମଲିଙ୍ଗୀ ସଂପର୍କକୁ ନେଇ ଭାରତରେ ଲଢ଼େଇ ଶେଷ ହୋଇନାହିଁ ବୋଲି ଏଥିରୁ ବୁଝାପଡୁଛି।

ଏ ପ୍ରସଙ୍ଗରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏଥିରେ କେନ୍ଦ୍ର ଏକମତ। କିନ୍ତୁ ସମଲିଙ୍ଗୀ ବିବାହକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ। ତେଣୁ ଏଲ୍‌ଜିବିଟି (ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ୍‌ ଏବଂ ଟ୍ରାନ୍ସଜେଣ୍ଡର) ସଂପ୍ରଦାୟ ପକ୍ଷରୁ ଏ ନେଇ ଦାବି କରାଗଲେ, କେନ୍ଦ୍ର ଏହାର ବିରୋଧ କରିବ। ସମଲିଙ୍ଗୀ ବିବାହକୁ ଆଇନସଂଗତ କରାଯାଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶାସକ ବିଜେପି ସମର୍ଥକ ଆର୍‌ଏସ୍‌ଏସ୍‌ର ମୁଖପାତ୍ର ଅରୁଣ କୁମାର କହିଛନ୍ତି, ସମଲିଙ୍ଗୀ ବିବାହ ହେଉଛି ପ୍ରକୃତି ବିରୋଧୀ। ଭାରତୀୟ ସମାଜ ଏଭଳି ସଂପର୍କକୁ ଆଦୌ ଗ୍ରହଣ କରିବ ନାହିଁ। ଆମେ ମଧ୍ୟ ଏହାକୁ ଘୋର ବିରୋଧ କରୁଛୁ। ଅନ୍ୟପକ୍ଷରେ ଧାରା ୩୭୭ର ଜଣେ ପ୍ରମୁଖ ପିଟିସନର୍‌ ସୁନିଲ ମେହରା କହିଛନ୍ତି, ଏଲ୍‌ଜିବିଟି ବ୍ୟକ୍ତିଙ୍କ ସମାନତାକୁ ଯଦି ଏବେ ମୌଳିକ ଅଧିକାର ବୋଲି ବିବେଚନା କରାଯାଉଛି, ତା’ହେଲେ ବିବାହ, ସଂପତ୍ତି ଅଧିକାର, ବୀମା ସୁବିଧାରେ ଭାଗ ଭଳି ଦିଗ ମଧ୍ୟ ଏହାର ଅଂଶବିଶେଷ ହେବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟ ଗୁରୁବାର ନିଜର ୪୯୩ ପୃଷ୍ଠା ସମ୍ବଳିତ ରାୟରେ ସାମାଜିକ ନୈତିକତା ଯୋଗୁ ମୌଳିକ ଅଧିକାର କ୍ଷୁଣ୍ଣ ହେବା ଉଚିତ ନୁହେଁ ବୋଲି ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର