ଏସଏଫଡିଆର ପ୍ରଯୁକ୍ତି ଆଧାରିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଡିଆରଡିଓ

ଚାନ୍ଦିପୁର : ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସଲିଡ ଫୁଏଲ ଡକ୍ଟେଡ ରାମଜେଟ (ଏସଏଫଡିଆର) ପ୍ରଯୁକ୍ତି ଆଧାରିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ସ୍ଥଳୀରୁ ଆଜି ସକାଳ ସାଢ଼େ ଦଶଟା ସମୟରେ ଏହାର ସଫଳ ଆକାଶମାର୍ଗ ପରୀକ୍ଷଣ (ଫ୍ଲାଇଟ୍ ଟେଷ୍ଟ) କରାଯାଇଥିଲା। ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର ସମେତ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା। ଏହି ପରୀକ୍ଷଣ ସମୟରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ ପ୍ରଯୁକ୍ତି ସହିତ ବହୁ ନୂତନ ପ୍ରଯୁକ୍ତି ପ୍ରମାଣିତ ହୋଇଥିଲା ।

ସଲିଡ ଫୁଏଲ ଡକ୍ଟେଡ ରାମଜେଟ ପ୍ରଯୁକ୍ତିର ସଫଳ ପରୀକ୍ଷଣ ହେବା ପରେ ଡିଆରଡିଓକୁ ଏକ ନୂତନ ପ୍ରଯୁକ୍ତି ପାଇପାରିଛି । ଏହି ପ୍ରଯୁକ୍ତି ବ୍ୟବହାର କରି ଆକାଶରୁ ଆକାଶମାର୍ଗକୁ ନିକ୍ଷେପ କରି ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିହେବ। ବର୍ତ୍ତମାନ ବିଶ୍ବର ମାତ୍ର ହାତଗଣତି କେତୋଟି ଦେଶ ନିକଟରେ ଏହି ପ୍ରଯୁକ୍ତି ଉପଲବ୍ଧ ରହିଛି । ଏହାଛଡ଼ା ନୋଜଲ-ଲେସ ବୁଷ୍ଟର ଯୋଗୁ ସଂଖ୍ୟାଧିକ ରାମଜେଟ୍ ଅପରେସନ ସହ ତାଳମେଳ ସ୍ଥାପନ କରିବାରେ ସହାୟତା ମିଳିପାରିବ।

ଏସଏଫଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ବୈଜ୍ଞାନିକ, ଭାରତୀୟ ବାୟୁ ସେନା ଓ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣରେ ସମ୍ପୃକ୍ତ ଦଳକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର