ବିଳମ୍ବିତ ରାତିରେ ସର୍ଟର କାଟି ୭ ଲକ୍ଷ ଟଙ୍କାର ଡ୍ରେସ୍‌ ନେଇଗଲେ ଦୁର୍ବୃତ୍ତ!

ବାଲିଅନ୍ତା: ହଂସପାଳ–ଅଭୟମୁଖୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ସ୍ଥାନୀୟ କୁଳସାହି ଗ୍ରାମସ୍ଥିତ ଏକ ଡ୍ରେସ୍‌ ଦୋକାନରୁ ଗତକାଲି ୭ ଲକ୍ଷ ଟଙ୍କାର ଡ୍ରେସ ଓ ଲୁଗାପଟା ଚୋରିଯାଇଥିବା ଅଭିଯୋଗ ହୋଇଛି । ଏଥିସହିତ କ୍ୟାସଡ୍ର ତାଲାଭାଙ୍ଗି ସେଥିରେ ଥିବା ୩୦୦୦ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏସଂପର୍କରେ ଲୁଟର ଶିକାର ହୋଇଥିବା ସଂପୃକ୍ତ ବ୍ୟବସାୟୀ ସୁକାନ୍ତ କୁମାର ପଣ୍ଡା ଆଜି ସକାଳେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ବେଳେକୁ ଲୁଟ ସାମଗ୍ରୀ କିମ୍ବା ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ ପାଇପାରି ନାହିଁ ।

ଅଭିଯୋଗ ଆଧାରରେ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ କୂଳସାହି ଗ୍ରାମର ସୁକାନ୍ତଙ୍କ ସ୍ଥାନୀୟ ବଜାରରେ ପୂଜା ଲିଜା ନାମରେ ଏକ ମ୍ୟାଚିଂ ସେଣ୍ଟର, ଲୁଗା ଓ ପୋଷାକ ଦୋକାନ ରହିଛି । ଚୋରିହୋଇ ଯିବା ଭୟରେ ରାତିରେ ସବୁଦିନ ସେ ଦୋକାନରେ ଶୁଅନ୍ତି । ହେଲେ ଗତକାଲି ସେ ଦୋକାନରେ ଶୋଇନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସର୍ଟର ତାଡ଼ି କଳାକନା ବୁଲାଇବାରେ ସଫଳ‌ ହୋଇଥିଲେ ।

ଗତକାଲି ସେ ରାତି ୧୦ଟାରେ ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ । ଏହାପରେ  ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ‌ସଟର ତାଡ଼ି ଭିତରେ ପଶି ଜିନ୍ସ ପ୍ୟାଣ୍ଟ , ଟି-ସାର୍ଟ, ପାଟ ବସ୍ତ୍ର, ମଠା ଆଦି ଚୋରି ହୋଇଯାଇଛି । ସେହିପରି ମୂଲ୍ୟବାନ ଲୁଗା ଓ ପୋଷାକ ସବୁକୁ ବାଛିବାଛି ନେଇଯାଇଛନ୍ତି । ଦୋକାନ ସାରା ବିକ୍ଷିପ୍ତ ଅବସ୍ଥାରେ ବିଭିନ୍ନ ସାମଗ୍ରୀ ପଡ଼ି ରହିଛି । ବଡ଼ କଥା ହେଉଛି ଦୋକାନରେ କିମ୍ବା ଆଖପାଖ ରାସ୍ତାରେ ସିସି କ୍ୟାମେରା ଲାଗିନଥିବାରୁ ପୁଲିସକୁ ଲୁଟେରାଙ୍କ ଗତିବିଧି ସଂପର୍କରେ ଜାଣିବା କଷ୍ଟକର ହୋଇପଡ଼ିଛି। ପୁଲିସ ପତୁରିଆ ବଜାରରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଛି । ହେଲେ ସିସିକ୍ୟାମେରା ଫୁଟେଜରୁ ଦୁର୍ବୃତ୍ତଙ୍କ ସଂପର୍କରେ କୌଣସି ସୁରାକ ମିଳିନଥିବା ଜଣେ ଅଧିକାରୀ ଜଣାଇଛନ୍ତି। ଆଜି ସକାଳେ ସୁକାନ୍ତ ଦୋକାନ ଖୋଲିବାକୁ ଆସି ସର୍ଟର ତଡ଼ାଯାଇଥିବା ଦେଖି ଦୋକନାରୁ ଚୋରିଯାଇଥିବା ଜାଣିବାକୁ ପାଇଥିଲେ ।

ସମ୍ବନ୍ଧିତ ଖବର