ଜମ୍ମୁ ବାୟୁସେନା ଷ୍ଟେସନରେ ଡ୍ରୋନ୍‌ ଆକ୍ରମଣ: ଲସ୍କର, ଜୈସ୍‌ର ହାତ ସନ୍ଦେହ

ସୀମା ସେପଟୁ ଆକ୍ରମଣ, ହାଇ ଆଲର୍ଟ ଜାରି, ୫କିଲୋ ଆଇଇଡି ଜବତ, ଜଣେ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଜମ୍ମୁ ବିମାନ ବନ୍ଦର ସ୍ଥିତ ଏୟାରଫୋର୍ସ ଷ୍ଟେସନରେ ରବିବାର ରାତିରେ ପ୍ରଚଣ୍ଡ ଡ୍ରୋନ୍‌ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଡ୍ରୋନ୍‌ ଦ୍ବାରା ଲଗାତାର ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟାଇବାରୁ ବାୟୁସେନା ଷ୍ଟେସନର ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୨ ଜଣ ବାୟୁସେନା ଯବାନ ଆହତ ହୋଇଛନ୍ତି। ପ୍ରଥମ ବି‌ସ୍ଫୋରଣ ରାତି ୧:୩୭ରେ ହୋଇଥିବା ବେଳେ ଦ୍ବିତୀୟ ବିସ୍ଫୋରଣ ୧:୪୨ ମିନିଟ୍‌ରେ ହୋଇଥିଲା। ‌ବାୟୁସେନା ଷ୍ଟେସନ ଛାତରେ ପ୍ରଥମ ବିସ୍ଫୋରଣ ହେବାରୁ ଏହା ଛାତକୁ ଛାରଖାର କରିଦେଇଥିବା ବେଳେ ଆଉ ଏକ ବିସ୍ଫୋରଣ ଖୋଲା ସ୍ଥାନରେ ହୋଇଥିଲା। ଜମ୍ମୁ କାଶ୍ମୀର ପୁଲିସ ମୁଖ୍ୟ ଦିଲବାଗ ସିଂହ କହିଛନ୍ତି ଯେ ଏହା ଏକ ଆତଙ୍କବାଦୀ ଆକ୍ରମଣ ଏବଂ ୨ଟିରେ ଡ୍ରୋନ୍‌ରେ ଆଇଇଡି ବ୍ୟବହାର କରି ବିସ୍ଫୋରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ବାୟୁସେନା, ଏନ୍‌ଆଇଏ ଏବଂ ପୁଲିସ ବିଭାଗର ମିଳିତ ତଦନ୍ତ ଆରମ୍ଭ ହୋଇଛି ଏବଂ ବିସ୍ଫୋରଣ ପାଇଁ ଡ୍ରୋନ୍‌ ବ୍ୟବହାର ହୋଇଥିବା ସ୍ପଷ୍ଟ ହୋଇଛି। ଆଗକୁ ଏହି ଆକ୍ରମଣ ମାମଲାର ସଂପୂର୍ଣ୍ଣ ତଦନ୍ତ ଭାର ଏନ୍‌ଆଇଏ ନେବ ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ସ୍ଥିତି ବାବଦରେ ଆଲୋଚନା କରିଛନ୍ତି ଏବଂ ଆତଙ୍କବାଦୀଙ୍କ ଯେ କୌଣସି ଆକ୍ରମଣକୁ ପଣ୍ଡ କରିବା ପାଇଁ ସୁରକ୍ଷା ବାହିନୀ ବଦ୍ଧପରିକର ବୋଲି କହିଛନ୍ତି। ଆକ୍ରମଣ ମାମଲାରେ ଆଜି ରାତି ସୁଦ୍ଧା ୨ ଜଣଙ୍କୁ ଗିରଫ କରାଯାଇଛି। ଆହତ ହୋଇଥିବା ୨ ବାୟୁସେନା ଯବାନ ବିପଦମୁକ୍ତ ଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ବାଂଲାଦେଶ ଗସ୍ତରେ ଥିବା ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୋରିଆ ଲଗାତାର ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଆକ୍ରମଣ ପରେ ସୀମାରେ ସୁରକ୍ଷା ବଢ଼ାଇ ଦିଆଯାଇଛି ଏବଂ ଜମ୍ମୁ କାଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦ ଏବଂ ଲସ୍କର ଏ ତୋଏବା ଏହି ଆକ୍ରମଣ ପଛରେ ରହିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଜମ୍ମୁ ପୁଲିସ ଆଜି ସହରର ନରୱାଲ ଅଂଚଳରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ହୋଇଥିବା ଏକ ବଡ଼ ଧରଣର ଚଢ଼ଉରେ ୫ କିଲୋ ଆଇଇଡି ଜବତ ହୋଇଛି ଏବଂ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି। ଲସ୍କର ଓ ଜୈସ୍‌ ଆତଙ୍କବାଦୀମାନେ ହଠାତ୍‌ ଜମ୍ମୁରେ ସକ୍ରିୟ ହେବା କାରଣରୁ ମିଳିତ ସୁରକ୍ଷା ବାହିନୀ ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ କରିଛି। ଜମ୍ମୁ ବିମାନ ବନ୍ଦରରୁ ଆଜି କେତେକ ବିମାନର ଚଳାଚଳ ବାତିଲ ହୋଇଥିବା ବେଳେ ଆଉ କେତେକର ଉଡ଼ାଣ ସମୟରେ ପରିବର୍ତ୍ତନ କରାଯାଇଛି। ଆଜି ସନ୍ଧ୍ୟାରୁ ବିମାନ ଚଳାଚଳ ସ୍ବାଭାବିକ ହୋଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର