‘ହିନ୍ଦୁ ମିଲ୍‌’ ବ୍ୟବସ୍ଥା ବନ୍ଦ କରିବ ଦୁବାଇର ବିମାନ ପରିବହନ ସଂସ୍ଥାନ ‘ଏମିରେଟ୍‌ସ୍‌’

ନୂଆଦିଲ୍ଲୀ: ଦୁବାଇର ବୃହତ୍‌ ବିମାନ ପରିବହନ ସଂସ୍ଥାନ ‘ଏମିରେଟ୍‌ସ୍‌’ ତା’ର ବିମାନରେ ‘ହିନ୍ଦୁ ଭୋଜନ’ ବା ‘ହିନ୍ଦୁ ମିଲ୍‌’ ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ଯାଉଛି। ‘ହିନ୍ଦୁ ଭୋଜନ’ ହେଉଛି ଧର୍ମ ବିଶ୍ୱାସ ଆଧାରରେ ଯାତ୍ରୀମାନଙ୍କୁ କେତେଗୁଡ଼ିଏ ଆନ୍ତର୍ଜାତିକ ବିମାନରେ ଆଗୁଆ ଭୋଜନ ବରାଦ କରିବା ନିମନ୍ତେ ମିଳୁଥିବା ସୁବିଧା। ଏୟାର୍‌ଲାଇନ୍‌ ତରଫରୁ କୁହାଯାଇଛି ଯେ ସବୁ ବର୍ଗରେ ଯାତ୍ରା କରୁଥିବା ହିନ୍ଦୁ ଗ୍ରାହକମାନେ ଆଞ୍ଚଳିକଭିତ୍ତିରେ ପ୍ରସ୍ତୁତ କରାଯାଉଥିବା ବହୁତ ପ୍ରକାରର ନିରାମିଷ ଆହାର ଆଗୁଆ ବରାଦ ଦେଇ ପାରିବେ। ଏହାଛଡ଼ା ଆବଶ୍ୟକ ଅନୁସାରେ ନିର୍ଦ୍ଦିଷ୍ଟ କେତେକ ଖାଦ୍ୟ ପାଇଁ ସ୍ୱତନ୍ତ୍ର ମିଲ୍‌ସ୍‌ ମଧ୍ୟ ବରାଦ କରିପାରିବେ। ଏସବୁ ହେଉଛି ନିରାମିଷ ଜୈନ ଆହାର, ଭାରତୀୟ ନିରାମିଷ ଆହାର, କୋଶର ଆହାର ଏବଂ ଗୋରୁମାଂସ ରହିତ ଆମିଷ ଆହାର।

ଅଧିକାଂଶ ବୃହତ୍‌ ଏୟାର୍‌ ଲାଇନ୍‌ ସବୁ ଗୋମାଂସ କି, ଘୁଷୁରି ମାଂସ ଖାଉ ନ ଥିବା ନିରାମିଷାଶୀମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ସୁସ୍ପଷ୍ଟ କରିଥାଆନ୍ତି। ଏୟାର୍‌ ଇଣ୍ଡିଆ ଏବଂ ସିଙ୍ଗାପୁର ଏୟାର୍‌ଲାଇନ୍‌ସ୍‌ ସେମାନଙ୍କ ମେନୁରେ ‘ଧାର୍ମିକ’ ବା ‘ରିଲିଜିୟସ୍‌’ ବୋଲି ସ୍ୱତନ୍ତ୍ର ଆହାର ବ୍ୟବସ୍ଥା ରଖିଛନ୍ତି।

ଏମିରେଟ୍‌ସ୍‌ କହିଛି: ଏମିରେଟ୍‌ସ୍‌ ‘ହିନ୍ଦୁ ମିଲ୍‌’ ବ୍ୟବସ୍ଥା ବନ୍ଦ କରିବ। ଗ୍ରାହକମାନଙ୍କର ଗ୍ରହଣୀୟତା ଏବଂ ମତାମତକୁ ବିଚାର କରି ଆମେ ଦେଉଥିବା ଭୋଜନ ବ୍ୟବସ୍ଥାର ବରାବର ସମୀକ୍ଷା କରୁଛୁ।

ସମ୍ବନ୍ଧିତ ଖବର