ପୂର୍ବେ କବରିସ୍ତାନରେ ଜନତାଙ୍କ ଅର୍ଥ ଖର୍ଚ୍ଚ ହେଉଥିଲା, ବିଜେପି ସରକାର ମନ୍ଦିର କାମରେ ଖର୍ଚ୍ଚ କରୁଛି: ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା: ଉତ୍ତର ପ୍ରଦେଶର ପୂର୍ବତନ ସରକାରଙ୍କୁ ସମାଲୋଚନା କରି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ପୂର୍ବରୁ ଜନସାଧାରଣଙ୍କ ଅର୍ଥ ‘କବରିସ୍ତାନ’ରେ ବ୍ୟୟ କରାଯାଉଥିଲା କିନ୍ତୁ, ‘ବିଜେପି’ ସରକାର ସେ ଅର୍ଥକୁ ମନ୍ଦିର ଉନ୍ନୟନ କାର୍ଯ୍ୟରେ ବ୍ୟୟ କରୁଛି।

ଦୀପୋତ୍ସବ ପାଳନର ଅଂଶବିଶେଷ ଭାବେ ରାମ କଥା ବାଟିକାରେ ଉତ୍ତର ପ୍ରଦେଶ ସରକାରଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆସନ୍ତା ବର୍ଷ ହୋଲି ପର୍ଯ୍ୟନ୍ତ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ହିତାଧିକାରୀମାନେ ଉପକୃତ ହେବେ।

ସେହିପରି, ମହାମାରୀର ଅବସାନ ଘଟି ନ ଥିବାରୁ ଚଳିତ ବର୍ଷ ନଭେମ୍ବରରେ ଶେଷ ହେଉଥିବା ଗରିବଙ୍କୁ ମାଗଣା ରେସନକୁ ମଧ୍ୟ ହୋଲି ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଥିବା କଥା ସେ କହିଛନ୍ତି। ଏହି ଯୋଜନାରେ ହିତାଧିକାରୀମାନେ ଲୁଣ, ଚିନି, ଡାଲି ଓ ତେଲ ସମେତ ଗହମ ଓ ଚାଉଳ ପାଇବେ।

Image Courtesy of India Ahead

ଏହି ଅବସରରେ ସେ କହିଲେ, ପୂର୍ବରୁ ଉତ୍ତର ପ୍ରଦେଶର ଏହି ଅର୍ଥ କବରିସ୍ତାନର ପାଚେରି କାମରେ ବ୍ୟୟ ହେଉଥିଲା। ଆଜି ତାହା ମନ୍ଦିର ପୁନଃନିର୍ମାଣରେ ବ୍ୟୟ ହେଉଛି। ଏହା ହେଉଛି ଚିନ୍ତାଧାରା ମଧ୍ୟରେ ଥିବା ପାର୍ଥକ୍ୟ। ଯେଉଁମାନେ କବରିସ୍ତାନପ୍ରେମୀ ସେମାନେ ସାଧାରଣ ଜନତାଙ୍କ ଅର୍ଥ ସେଠାରେ ବିନିଯୋଗ କରୁଥିଲେ, ଯେଉଁମାନେ ଧର୍ମ ଓ ସଂସ୍କୃତିପ୍ରେମୀ ସେମାନେ ସେସବୁର ଉତ୍ଥାନ, ଉନ୍ନୟନ ପାଇଁ ସେ ଅର୍ଥ ବିନିଯୋଗ କରୁଛନ୍ତି।

ଅଯୋଧ୍ୟାରେ ସୁଉଚ୍ଚ ରାମ ମନ୍ଦିର ନିର୍ମାଣ ଚାଲିଛି। ୫୦୦ ମନ୍ଦିର ଏବଂ ଧାର୍ମିକ ପୀଠଗୁଡ଼ିକର ପୁନଃନିର୍ମାଣ ଓ ମରାମତି ପାଇଁ କେନ୍ଦ୍ର ସରକାର ଆହୁରି କେତେକ ପ୍ରକଳ୍ପ ଆରମ୍ଭ କରିଛନ୍ତି।

ଉପରୋକ୍ତ ପ୍ରକଳ୍ପଗୁଡ଼ିକରେ ୩୦୦ରୁ ଅଧିକ ସ୍ଥାନର କାର୍ଯ୍ୟ ଶେଷ ହେଲାଣି ବାକି ସବୁ ସ୍ଥାନର କାର୍ଯ୍ୟ ଆଗାମୀ ଦୁଇମାସରେ ଶେଷ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଅଯୋଧ୍ୟା ବିଶ୍ୱରେ ଗୋଟାଏ ସାଂସ୍କୃତିକ ନଗରୀ ଭାବେ ଉଭା ହୋଇଛି। ଆଗାମୀ ଦିନମାନଙ୍କରେ ଏହା ଆହୁରି ଉନ୍ନତ ହେବ। ସମଗ୍ର ବିଶ୍ୱରୁ ପର୍ଯ୍ୟଟକମାନେ ଏଠାକୁ ଆସିବେ।

ସମ୍ବନ୍ଧିତ ଖବର