ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଠାରୁ ୨.୪ କୋଟି ଠକି ନେଇଥିବା ଠକ ୫ ବର୍ଷ ପରେ ହେଲା ଗିରଫ

ନୂଆଦିଲ୍ଲୀ: ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ପ୍ରତାରଣା କରି ତାଙ୍କ ଠାରୁ ୨.୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଙ୍ଗଳବାର ଦିନ କୋଲକାତାର କେଷ୍ଟୋପୁରର ଜଣେ ଯୁବକଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ଜୟଜିତ ସରକାର (୩୪) ବୋଲି ଚିହ୍ନଟ କରାଯାଇଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ, ଅଭିଯୋଗକାରୀ ଅବସରପ୍ରାପ୍ତ କର୍ଣ୍ଣେଲ ରଘୁଜିତ ସିଂଙ୍କୁ ତାଙ୍କ ଜମା ରାଶି ଫେରସ୍ତ କରିବା ବାହାନାରେ ଜୟଜିତ ତାଙ୍କ ଠାରୁ ୨.୪ କୋଟି ଟଙ୍କା ଠକି ନେଇଥିଲେ।

ଏ ସଂକ୍ରାନ୍ତରେ ଅବସରପ୍ରାପ୍ତ କର୍ଣ୍ଣେଲ ୨୦୧୭ରେ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ୍‌ର ଅର୍ଥନୈତିକ ଅପରାଧ ୱିଙ୍ଗ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା। ଅଭିଯୁକ୍ତ ଜଣକ ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ବୀମା ପଲିସିର ପରିମାଣ ଫେରସ୍ତ ପାଇବା ପାଇଁ ଟିକସ ଦେବାକୁ ଆବଶ୍ୟକ ଥିବା କହି ତାଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟରୁ ୨.୪ କୋଟି ଟଙ୍କା ନେଇ ଯାଇଥିଲା।

ଇଓଡବ୍ଲ୍ୟୁର ଯୁଗ୍ମ ସିପି ଛାୟା ଶର୍ମା କହିଛନ୍ତି ଯେ ଅନୁସନ୍ଧାନ ସମୟରେ ଅଭିଯୋଗକାରୀ ତାଙ୍କ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ଏସବିଆଇ ଆକାଉଣ୍ଟରୁ ଆକ୍ସିସ୍‌ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ପିଏନବି ବ୍ୟାଙ୍କ୍‌ରେ ଥିବା ଅଭିଯୁକ୍ତର ଆକାଉଣ୍ଟକୁ ୨.୪ କୋଟି ଟଙ୍କା ସ୍ଥାନାନ୍ତର କରିଥିଲେ। ଅଭିଯୁକ୍ତକୁ ଖୋଜିବା ପାଇଁ ପୁଲିସ୍‌ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା ହେଲେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଥିଲା ଏବଂ ବାରମ୍ବାର ନିଜ ଠିକଣା ବଦଳାଉ ଥିଲା। ଏହି ସମୟରେ, ତାଙ୍କ ପରିବାର ବିଷୟରେ ପୁଲିସ୍‌କୁ ସୂଚନା ମିଳିଥିଲା। ସେମାନେ କୋଲକାତାରେ ରହୁଥିଲେ।

ମାର୍ଚ୍ଚ ୮ରେ ଦିଲ୍ଲୀ ପୁଲିସ୍‌ ଚଢାଉ କରି ବୈଷୟିକ ତଦାରଖ ଆଧାରରେ ଜୟଜିତ ସରକାରଙ୍କୁ କୋଲକାତାର କେଷ୍ଟୋପୁରରୁ ଗିରଫ କରାଯାଇଥିଲା। ଏବେ ଏହି ମାମଲାରେ ଅଧିକ ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧିତ ଖବର