ଭାରତରେ ପ୍ଲାଣ୍ଟ ସ୍ଥାପନ କରିପାରେ ଟେସଲା, ସିଇଓ ଏଲୋନ୍ ମସ୍କ ଦେଲେ ସଙ୍କେତ

ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ୍ ଯାନ (ଇଭି) କମ୍ପାନୀ ଟେସଲା ଭାରତରେ ଏକ କାରଖାନା ସ୍ଥାପନ କରିପାରେ | ଟେସଲା ସିଇଓ ଏଲୋନ୍ ମସ୍କ ଏନେଇ ସଙ୍କେତ ଦେଇଛନ୍ତି | ସୂଚନା ଥାଉ କି ଯେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଟେସଲାକୁ ଭାରତରେ କାରଖାନା ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଭାରତରେ ପ୍ଲାଣ୍ଟ ସ୍ଥାପନ କଲେ କଣ ସବୁ ସୁବିଧା ମିଳିବ ସେ ନେଇ ସୂଚାଇ ଥିଲେ | ଆଉ ଏବାବଦରେ ଟେସଲା ସିଇଓ ଏଲୋନ୍ ମସ୍କଙ୍କୁ ଟ୍ୱିଟରରେ ପଚରାଯାଇଥିଲା କି ଭାରତରେ କମ୍ପାନୀ ପ୍ଲାଣ୍ଟ ସ୍ଥାପନ କରିବାର ଯୋଜନା ରଖିଛି କି ?

ଏହି ପ୍ରଶ୍ନର ଉତ୍ତରରେ ଏଲୋନ୍ ମସ୍କ କହିଛନ୍ତି ଯେ ଯଦି ଭାରତରେ ଆମଦାନୀ ହୋଇଥିବା ଯାନ ସଫଳ ହୁଏ, ତେବେ ଏହା ପରେ ଏକ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଚିନ୍ତା କରିପାରେ। ମସ୍କ କହିଛନ୍ତି ଯେ ବର୍ତ୍ତମାନ ଭାରତରେ ଆମଦାନୀ ଶୁଳ୍କ ବିଶ୍ୱରେ ସବୁଠାରୁ ଅଧିକ ରହିଛି । ଅନ୍ତତଃ ପକ୍ଷେ ବୈଦ୍ୟୁତିକ ଯାନ ଉପରେ ଶୁଳ୍କ ହ୍ରାସ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏଲୋନ୍ ମସ୍କ କହିଛନ୍ତି ଯେ ଡିଜେଲ ଏବଂ ପେଟ୍ରୋଲ ଯାନ ପରି ବୈଦ୍ୟୁତିକ ଗାଡି ଉପରେ ନିଆଯାଉଥିବା ଆମଦାନୀ ଶୁଳ୍କ ଯୁକ୍ତିସଙ୍ଗତ ନୁହେଁ |


ଏଲୋନ୍ ମସ୍କ ଆଶା କରିଛନ୍ତି ଯେ ଯଦି ଭାରତ ବୈଦ୍ୟୁତିକ ଯାନ ଉପରେ ଅସ୍ଥାୟୀ ଶୁଳ୍କ ଲାଗୁ କରିବ ତେବେ ଏହା ଏକ ଭଲ ପଦକ୍ଷେପ ହେବ। ଭାରତ ବର୍ତ୍ତମାନ ୪୦,୦୦୦ ଡଲାରରୁ ଅଧିକ ମୂଲ୍ୟର ଆମଦାନୀ ହୋଇଥିବା କାର ଉପରେ ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଛି। ଏହାଠାରୁ କମ୍ ମୂଲ୍ୟର କାର ଉପରେ ଆମଦାନୀ ଶୁଳ୍କ ହାର ୬୦ ପ୍ରତିଶତ ଆଦାୟ କରାଯାଉଛି |

ସମ୍ବନ୍ଧିତ ଖବର