ଗରିବ ଦେଶର ଲୋକେ ଟିକା ପାଉନାହାନ୍ତି, ଧନୀଙ୍କ ପାଇଁ ବୁଷ୍ଟର

ୱାଶିଂଟନ: ଅତ୍ୟଧିକ ସଂକ୍ରମଣଶୀଳ ଓ ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ କୋଭିଡ୍-୧୯ ସଙ୍କଟକୁ ଗଭୀରତର କରିଥିବାରୁ ଧନୀ ଦେଶମାନେ ସେମାନଙ୍କ ଟିକାକରଣ ଅଭିଯାନ ତ୍ବରାନ୍ବିତ କରୁଥିବାବେଳେ ଗରିବ ଦେଶଗୁଡିକ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ସଂଘର୍ଷ କରୁଛନ୍ତି। କରୋନା ସଂକ୍ରମଣର ନୂତନ ଲହର ଧାରରେ ଦୋଦୁଲ୍ୟମାନ ଦେଶଗୁଡ଼ିକ ଟିକା ନିର୍ମାତାମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ ନିଜ ଦେଶ ପାଇଁ ଆବଶ୍ୟକତାଠାରୁ ଅଧିକ ଟିକା ସଂଗ୍ରହ କରି ଟିକାକରଣକୁ ସୁନିଶ୍ଚିତ କରିବା, ଏପରି କି ଅଧିକ ସଂକ୍ରମଣ ଆଶଙ୍କା ଥିବା ବର୍ଗର ଲୋକଙ୍କୁ ବୁଷ୍ଟର ଦେବା ପାଇଁ ଉଦ୍ୟମ କରୁଥିବା ବେଳେ ସମଗ୍ର ବିଶ୍ୱରେ ଶହ ଶହ କୋଟି ଲୋକ ଟିକାର ପ୍ରଥମ ମାତ୍ରା ପାଇବାକୁ ଅପେକ୍ଷା କରିଛନ୍ତି। ବିକାଶଶୀଳ ଦେଶଗୁଡିକ ସେମାନଙ୍କ ଲୋକଙ୍କୁ ସୁରକ୍ଷା ଦେବା ଏବଂ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ସେମାନଙ୍କର ଟିକାକରଣ ଅଭିଯାନକୁ ବ୍ୟାପକ କରିଛନ୍ତି। ଅଧିକ ସଂକ୍ରମଣ ସମ୍ଭାବନା ଥିବା ଲୋକମାନଙ୍କୁ ଅତି କମ୍‌ରେ ଗୋଟିଏ ଡୋଜ୍ ଦିଆଯାଇଛି ଏବଂ ଆଶା କରାଯାଉଛି ଏହାଦ୍ବାରା ମହାମାରୀର ଖରାପ ପ୍ରଭାବ ସମାପ୍ତ ହୋଇପାରେ।

ସାରା ବିଶ୍ବରେ ଅଦ୍ୟାବଧି ୪୪୦ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆସରିଲାଣି। ୟୁଏଇ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଟିକାକରଣ କରିଛି- ଏହାର ଯୋଗ୍ୟ ଜନସଂଖ୍ୟାର ୮୧% ଟିକା ନେଇଥିବା ବେଳେ ତା’ପରେ ମାଲ୍‌ଟା- ୮୦%, ଆଇସ୍‌ଲ୍ୟାଣ୍ଡ- ୭୬%, ସିଙ୍ଗାପୁର- ୭୬%, ଉରୁଗୁଏ- ୭୫%, କାତାର- ୭୫%, ଚିଲି- ୭୩% , କାନାଡା- ୭୨%, ସ୍ପେନ୍- ୭୦%, ପର୍ତ୍ତୁଗାଲ୍- ୭୦%, ଇଂଲଣ୍ଡ- ୭୦% ଏବଂ ଆମେରିକା- ୫୮% ପ୍ରତିଶତ ଲୋକଙ୍କ ଟିକାକରଣ କରିଛି। ଅକ୍ସଫୋର୍ଡ ୟୁନିଭର୍ସିଟିରେ ଥିବା ଆୱାର୍ ୱାର୍ଲ୍ଡ ଇନ୍ ଡାଟା ପ୍ରୋଜେକ୍ଟ ଦ୍ୱାରା ସରକାରୀ ଉତ୍ସରୁ ଏହି ତଥ୍ୟ ସଂକଳିତ ହୋଇଛି।

ବିକଶିତ କିମ୍ବା ଧନୀ ଦେଶଗୁଡିକ ପ୍ରତି ୧୦୦ ଜଣଙ୍କୁ ଅନ୍ତତଃ ୧୦୦ ବା ତା’ଠାରୁ ଅଧିକ ଡୋଜ୍‌ ଟିକା ଦେଇପାରିଛନ୍ତି। ଅପରପକ୍ଷେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଗରିବ ଦେଶଗୁଡିକ ଯୋଗାଣ ଅଭାବରୁ ପ୍ରତି ୧୦୦ ଲୋକଙ୍କୁ ମାତ୍ର ୧.୫ ଡୋଜ୍ ଟିକା ଦେବାରେ ସକ୍ଷମ ହୋଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରିୟେସେସ ଆମେରିକା ଏବଂ ୟୁରୋପ ସମେତ ଜି-୨୦ ଦେଶର ନେତାମାନଙ୍କୁ ଆହ୍ବାନ କରି କହିଛନ୍ତି, ଯେପରି ସବୁ ଦେଶର ସବୁ ଲୋକ ଟିକା ପାଇପାରିବେ ଏବଂ ଗରିବ ଦେଶର ଲୋକମାନଙ୍କ ପାଖରେ ଟିକା ଉପଲବ୍ଧ ହୋଇପାରିବ, ସେଥିପାଇଁ ତୁରନ୍ତ କିଛି ପଦକ୍ଷେପ ନେବା ଉଚିତ। ଇଂଲଣ୍ଡ ଓ ଆମେରିକାର ୭୦% ବୟସ୍କ ଅତି କମ୍‌ରେ ଗୋଟିଏ ଡୋଜ୍‌ ଟିକା ନେଇଛନ୍ତି। କିନ୍ତୁ ଆଫ୍ରିକାର ୪%ରୁ କମ୍ ଲୋକଙ୍କୁ ଆଂଶିକ ଟିକା ଦିଆଯାଇଛି। ଟିକା ଯୋଗାଣର ଅଭାବ ହେତୁ ଗତ ମାସରେ ସମଗ୍ର ମହାଦେଶରେ ମୃତ୍ୟୁ ସଂଖ୍ୟା ୮୦% ବୃଦ୍ଧି ପାଇଥିଲା।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ସଂସ୍ଥା ଯୁକ୍ତି କରନ୍ତି ଯେ, ସମସ୍ତେ ସୁରକ୍ଷିତ ନହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି। କାରଣ କରୋନା ଭୂତାଣୁ ଯେତେ ଦିନ ଯାଏଁ ପୂରାପୂରି ଚେକ୍ ନ ହୋଇଛି ଏବଂ ବିଶ୍ବର କୌଣସି ନା କୌଣସି ଦେଶରେ କାୟା ବିସ୍ତାର କରିଚାଲିଛି, ସେତେଦିନ ଯାଏ ନୂତନ ଭାରିଆଣ୍ଟ ଉତ୍ପନ୍ନ ହେବାର ସମ୍ଭାବନା ଅଧିକ। ବିଶେଷଜ୍ଞମାନେ କହିଛନ୍ତି ଯେ ଧନୀ ଦେଶଗୁଡ଼ିକ ବୁଷ୍ଟର୍ ଡୋଜ୍‌କୁ ପ୍ରାଧାନ୍ୟ ଦେଲେ ଗରିବ ଦେଶଗୁଡ଼ିକ ଟିକା ପାଇବେ ନାହିଁ। ଆମେ ବୁଷ୍ଟର୍ ଡୋଜ୍ ନେବା ପୂର୍ବରୁ ଗରିବ ଦେଶଗୁଡ଼ିକର ଲୋକମାନେ ଅନ୍ତତଃ ଗୋଟିଏ ଡୋଜ୍ ଟିକା ନେଇଥିବା ଆବଶ୍ୟକ। ତ‌ା’ ନ ହେଲେ ଭୂତାଣୁ ବୁଲି ବୁଲି ପୁଣି କୋଉ ରୂପରେ ଆସି ବୁଷ୍ଟର ନେଇଥିବା ଲୋକମାନଙ୍କୁ ବି ଆକ୍ରମଣ କରିବ ତାହା କହିହେବ ନାହିଁ।

ସମ୍ବନ୍ଧିତ ଖବର