ମଧ୍ୟପ୍ରଦେଶ ବିଧାନସଭା ପାଇଁ ଏବେଠୁ ଆକଳନ: ବିଜେପିର ୨୦୦କୁ କଂଗ୍ରେସର ‌୧୫୦

ଚର୍ଚ୍ଚାରେ ଶିବରାଜ ବନାମ ରାହୁଲଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ : ଜାନୁଆରି ୨୦୨୪ରେ ମଧ୍ୟପ୍ର‌ଦେଶରେ ଶିବରାଜ ସିଂହ ଚୌହାନ ସରକାରଙ୍କ କାର୍ଯ୍ୟକା‌ଳ ଶେଷ ହେବ। ଏହା ପୂର୍ବରୁ ୨୦୨୩ ଶେଷ ବେଳକୁ ସେଠାରେ ନିର୍ବାଚନ ହେବ। ତେବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆଜି ଉଭୟ କଂଗ୍ରେସ ଏବଂ ବିଜେପି ବଡ଼ ଆକଳନ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ଆସନରେ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି। କଂଗ୍ରେସ ରାଜ୍ୟରେ ୧୫୦ ଆସନରେ ଜିତିବ ବୋଲି ରାହୁଲ ଗାନ୍ଧି କରିଥିବା ଦାବିକୁ ଶିବରାଜ ‌ଖଣ୍ଡନ କରିବା ସହ ବିଜେପି ୨୦୦ରୁ ଅଧିକ ଆସନରେ ଜିତିବ ବୋଲି କହିଛନ୍ତି। ଆଜି ଦିନରେ ରାହୁଲ ଗାନ୍ଧି ସାମ୍ବାଦିକମାନଙ୍କୁ କହିଥି‌ଲେ ଯେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଆମେ ଏକ ବିସ୍ତୃତ ବୈଠକ କରିସାରିଛୁ। ଆଭ୍ୟନ୍ତରୀଣ ଆକଳନରୁ ଜଣାପଡ଼ିଛି ଯେ କର୍ଣ୍ଣାଟକରେ ଆମେ ୧୩୬ ଆସନରେ ଜିତିଥିବାରୁ ମଧ୍ୟପ୍ର‌ଦେଶରେ ୧୫୦ ଆସନରେ ଜିତିବୁ। ଉଲ୍ଲେଖଯୋଗ୍ୟ, ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶରେ ୨୩୦ ଆସନରୁ ୧୧୪ଟି ଆସନରେ ଜିତିଥିଲା। କମଳନାଥଙ୍କ ଅଧୀନରେ ଦଳ ସରକାର ଗଠନ କରିଥିଲା। କିନ୍ତୁ ସିନ୍ଧିଆଙ୍କ ବିଦ୍ରୋହ ପରେ ୨୦୨୦ରେ କଂଗ୍ରେସ ସରକାର ଭାଙ୍ଗିଗଲା। ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରଦେଶ ବାଦ୍‌ ରାଜସ୍ଥାନ ଏବଂ ଛତିଶଗଡ଼ରେ ମଧ୍ୟ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର