ପାକ୍‌ ମୁଖା ଖୋଲିଲେ ୟୁରୋପୀୟ ସାଂସଦ

ଧାରା ୩୭୦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ
ଭାରତର କଶ୍ମୀର ନୀତିକୁ ଦୃଢ଼ ସମର୍ଥନ
ଆତଙ୍କବାଦୀଙ୍କୁ ସମର୍ଥନ ଦେଉଛି ପାକ୍‌

ଶ୍ରୀନଗର : ୟୁରୋପୀୟ ସଂଘ (ଇୟୁ) ସାଂସଦମାନଙ୍କ ପ୍ରତିନିଧି ଦଳ ଜମ୍ମୁ କଶ୍ମୀର ଗସ୍ତ କରି ବାସ୍ତବ ସ୍ଥିତି ପରଖିଛନ୍ତି। ସ୍ଥାନୀୟ ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗସ୍ତ ପ‌ରେ ଆଜି ଇୟୁ ପ୍ରତିନିଧି ଦଳ ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜମ୍ମୁ କଶ୍ମୀରରେ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗତକାଲି ଜମ୍ମୁ କଶ୍ମୀରରେ ୬ ଜଣ ଶମ୍ରିକଙ୍କୁ ହତ୍ୟା ଆତଙ୍କବାଦୀଙ୍କ ଏକ ବର୍ବର କାଣ୍ଡ ଏବଂ ଅଧିକାଂଶ ଆତଙ୍କବାଦୀ ପାକିସ୍ତାନରୁ ହିଁ ଆସୁଛନ୍ତି ବୋଲି ପ୍ରତିନିଧି ଦଳ କହିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ସହ ଅନ୍ୟ ପ୍ରୋତ୍ସାହନ ମଧ୍ୟ ଦେଉଛି। ସୀମାପାର ଆତଙ୍କବାଦକୁ ରୋକିବା ପାଇଁ ଭାରତ ସବୁ ପ୍ରୟାସ ଜାରି ରଖିଛି। ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ୟୁରୋପୀୟ ସଂଘ ଦୃଢ଼ ଭାବେ ରହିଛି ବୋଲି ପ୍ରତିନିଧି ଦଳ କହିଛନ୍ତି।

ଫ୍ରାନ୍ସର ହେନରି ମାଲୋସ୍‌ ଏବଂ ଥେରି ମାରିଆନି, ପୋଲାଣ୍ଡ୍‌ର ରିଜାଡ୍‌ କଜରନେକି ଏବଂ ବ୍ରିଟେନ୍‌ର ବିଲ୍‌ ନ୍ୟୁଟନ୍‌ ଆଜି ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦକୁ ଏକ ବୈଶ୍ବିକ ସମସ୍ୟା ବୋଲି କହିଛନ୍ତି। ଧାରା ୩୭୦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଆତଙ୍କବାଦ ବିରୋଧରେ ଭାରତ ନିଷ୍ଠାର ସହ ତା’ର ଲଢ଼େଇ ଜାରି ରଖିଛି ଏବଂ ୟୁରୋପୀୟ ସଂଘ ସାଂସଦମାନେ ଭାରତର ନୀତିକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି। ଆତଙ୍କବାଦ କେବଳ ଭାରତର ସମସ୍ୟା ନୁହେଁ, ଏହା ଏକ ଅନ୍ତର୍ଜାତୀୟ ସମସ୍ୟା। ଆତଙ୍କବାଦ ଫ୍ରାନ୍ସ ଏବଂ ୟୁରୋପରେ ବଧ୍ୟ ବହୁତ ବଡ଼ ସମସ୍ୟା। କଶ୍ମୀର ଆଉ ଏକ ଆଫଗାନିସ୍ତାନ ହେଉ ବୋଲି ୟୁରୋପୀୟ ସଂଘ କଦାପି ଚାହିବ ନାହିଁ ବୋଲି ଇୟୁ ପ୍ରତିନିଧି ଦଳ କହିଛନ୍ତି।

ସେମାନେ କହିଛନ୍ତି, ଭାରତୀୟ ରାଜନୀତିରେ ଆମର ଆଦୌ ଆଗ୍ରହ ନାହିଁ। କଶ୍ମୀର ଲୋକମାନଙ୍କୁ ଭେଟିବା ଆମର ଉଦ୍ଦେଶ୍ୟ ଥିଲା। କଶ୍ମୀରରେ ଖୁବ୍‌ ଭଲ ଅନୁଭୁତି ମିଳିଲା। କଶ୍ମୀରରେ ଭାରତ ସରକାର ସଠିକ୍‌ ନୀତିରେ କାମ କରୁଛନ୍ତି। କଶ୍ମୀରର ଲୋକମାନେ ମଧ୍ୟ ଶାନ୍ତି ଏବଂ ବିକାଶ ଚାହାନ୍ତି। ସେମାନେ ସ୍କୁଲ୍‌ ଏବଂ ହସ୍ପିଟାଲ୍‌ ଚାହାନ୍ତି। ପ୍ରତିନିଧି ଦଳ ମଧ୍ୟ ସ୍ବୀକାର କରିଛନ୍ତି ଯେ ଜମ୍ମୁ କଶ୍ମୀରରେ ବିକାଶ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି। ପୋଲାଣ୍ଡ୍‌ ସାଂସଦ ରିଜାଡ଼ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ପକ୍ଷପାତପୂର୍ଣ୍ଣ ଥିଲା। ଥ‌‌ରେ ଆମେ ‌ସ୍ବଦେଶ ଫେରିବା ପରେ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରିବୁ। ଉଲ୍ଲେଖ‌ଯୋଗ୍ୟ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ କୌଣସି ବିଦେଶ ପ୍ରତିନିଧି ଦଳ କଶ୍ମୀର ଗସ୍ତ କରିଛନ୍ତି। ଭାରତ ସରକାର ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ କଶ୍ମୀର ଯାଇ ସ୍ଥିତି ଦେଖିବାକୁ ଅନୁମତି ଦିଅନ୍ତୁ ବୋଲି ସେମାନେ କହିଛନ୍ତି।

ଆମେ ନାଜି ସମର୍ଥକ ନୋହୁଁ

ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ଅସଉଦ୍ଦିନ୍‌ ଅୱେସି ଇୟୁ ପ୍ରତିନିଧି ଦଳଙ୍କ ବିରୋଧରେ ଦେଇଥିବା ନାଜି ସମର୍ଥକ ଟିପ୍ପଣୀ ସଂକ୍ରାନ୍ତରେ ଆଜି ଜବାବ ରଖିଛନ୍ତି ଇୟୁ ପ୍ରତିନିଧି ଦଳ। ପ୍ରତିନିଧି ଦଳର ଜଣେ ସାଂସଦ କହିଛନ୍ତି, ଆମେ ନାଜି ସମର୍ଥକ ନୋହୁଁ, ଯଦି ଆମେ ନାଜି ସମର୍ଥକ ହୋଇଥାନ୍ତୁ ତେବେ ଆମେ ନିର୍ବାଚିତ ହୋଇନଥାନ୍ତୁ।

ଉଲ୍ଲେଖଯୋଗ୍ୟ, ଇୟୁ ପ୍ରତିନିଧି ଦଳଙ୍କୁ କଶ୍ମୀର ଗସ୍ତ ନେଇ ସରକାରଙ୍କ ଅନୁମତିକୁ ବିରୋଧ କରି ଅୱେସି କହିଥି‌ଲେ, ସରକାର ନାଜି ସମର୍ଥକମାନଙ୍କୁ କଶ୍ମୀର ପଠାଇଛନ୍ତି।

ସମ୍ବନ୍ଧିତ ଖବର