‘ଚରମବାଦ, ଆତଙ୍କବାଦ ଇସଲାମର ପରିପନ୍ଥୀ’: ଅଜିତ ଡୋଭାଲ

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ମଙ୍ଗଳବାର କହିଛନ୍ତି ଯେ, ସୀମାପାର ଆତଙ୍କବାଦ ଏବଂ ଆଇଏସ୍‌ଆଇଏସ୍ ଦ୍ବାରା ଅନୁପ୍ରେରିତ ଆତଙ୍କବାଦ ମାନବତା ପ୍ରତି ବିପଦ। ଭାରତ ଓ ଇନ୍ଦୋନେସିଆରେ ଅନ୍ତର୍ଧର୍ମୀୟ ଶାନ୍ତି ତଥା ସାମାଜିକ ସଦ୍‌ଭାବ ପ୍ରତିଷ୍ଠା କ୍ଷେତ୍ରରେ ଉଲେମାଙ୍କ (ମୁସଲମାନ ଧର୍ମଗୁରୁମାନଙ୍କ) ଭୂମିକା ଉପରେ ଦିଲ୍ଲୀରେ ଏକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ଅବସରରେ ଡୋଭାଲ ଏହା କହିଛନ୍ତି।

ଡୋଭାଲ କହିଲେ ଯେ, ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ଉଭୟ ଦେଶ ପାଇଁ ବିପଦ। ଆମେ ଏ ସମସ୍ୟାର ମୁକାବିଲା କରିବାରେ ଅନେକାଂଶରେ ସଫଳ ହୋଇଥିଲେ ମଧ୍ୟ ସୀମାପାର ଆତଙ୍କବାଦ ଓ ଆଇଏସ୍‌ଆଇଏସ୍‌-ଅନୁପ୍ରେରିତ ଆତଙ୍କବାଦ ନିରବଚ୍ଛିନ୍ନଭାବେ ଦେଶ ପ୍ରତି ବିପଦ ସୃଷ୍ଟି କରି ଆସୁଛି। ଏକ ସଭ୍ୟ ସମାଜରେ ଏଭଳି ବିପଦର ମୁକାବିଲା କରିବା ପାଇଁ ପାରସ୍ପରିକ ସହଯୋଗ ଅତି ଆବଶ୍ୟକ। ଆଜିର ଆଲୋଚନାର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ ସହ ଲଢ଼ିବା ଏବଂ ସହିଷ୍ଣୁତା, ସଦ୍‌ଭାବ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ଭାରତ ଓ ଇନ୍ଦୋନେସିଆର ଉଲେମା ଓ ଇସଲାମିକ୍ ବିଦ୍ବାନ୍‌ମାନଙ୍କୁ ଗୋଟିଏ ମଞ୍ଚକୁ ଆଣିବା। ସେମାନଙ୍କ ଶିକ୍ଷା ଓ ଦିଗ୍‌ଦର୍ଶନ ଚରମବାଦ, ଆତଙ୍କବାଦ ଓ ମୌଳବାଦର ଅନ୍ତ ଘଟାଇବାରେ ସାହାଯ୍ୟ କରିବ।

ଡୋଭାଲ କହିଲେ ଯେ, ଧର୍ମ ନାମରେ ମୌଳବାଦ ଓ ଆତଙ୍କବାଦକୁ କଦାପି ଯୁକ୍ତିଯୁକ୍ତ ବୋଲି କୁହାଯାଇ ପାରିବ ନାହିଁ। ଏହା ଧର୍ମ ନୁହେଁ, ଧର୍ମର ବିକୃତି ଓ ଦୁରୁପଯୋଗ। ଏହା ବିରୋଧରେ ଆମେ ସମସ୍ତେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ। ସଲାମତି ବା ଆସଲାମ ଶବ୍ଦରୁ ଇସଲାମ ଶବ୍ଦର ସୃଷ୍ଟି ଯାହାର ଅର୍ଥ ହେଉଛି ଶାନ୍ତି ଓ ଜନକଲ୍ୟାଣ। ତେଣୁ ଆତଙ୍କବାଦ ‘ଇସଲାମ’ ଶବ୍ଦର ମୌଳିକ ଅର୍ଥର ହିଁ ବିରୋଧାଚରଣ କରୁଛି। ସେହିପରି ଜିହାଦର ଶ୍ରେଷ୍ଠ ରୂପ ହେଉଛି ‘ଜିହାଦ ଆଫଜଲ’, ଯାହାର ଅର୍ଥ ଆମର ଅହଂକାର ଓ ଇନ୍ଦ୍ରିୟ ଆସକ୍ତି ବିରୋଧରେ ଯୁଦ୍ଧ, ନିରୀହ ନାଗରିକଙ୍କ ବିରୋଧରେ ନୁହେଁ। ଏହି ସମ୍ମିଳନୀରେ ଇନ୍ଦୋନେସିଆର ରାଜନୀତି, ଆଇନ ଓ ସୁରକ୍ଷା ବ୍ୟାପାର ମନ୍ତ୍ରୀ ମହମ୍ମଦ ମେହଫୁଦ ଏମ୍‌ଡି ଉଲେମାଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଯୋଗ ଦେଇଥିଲେ। ଏହି ଅବସରରେ ଇନ୍ଦୋନେସିଆର ଉଲେମା ଭାରତର ବିଭିନ୍ନ ଧର୍ମର ନେତାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର