ନାଗରିକତା ଆଇନ ଉପରେ ମାଲେସିୟା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ‘ଅବାସ୍ତବ’: ଭାରତ

ନୂଆଦିଲ୍ଲୀ: ନାଗରିକତା ଆଇନ ଉପରେ ମାଲେସିୟା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ‘ଅବାସ୍ତବ’ ବୋଲି ଭାରତ କହିଛି।

ଶୁକ୍ରବାର ଦିନ ଭାରତର ନାଗରିକତା (ସଂଶୋଧନ) ଆଇନକୁ ସମାଲୋଚନା କରି ମାଲେସୀୟ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଥିଲେ କି ଯେ ଏହି ଆଇନ୍‌ ଯୋଗୁଁ ଲୋକେ ମରୁଛନ୍ତି।

କୁଆଲାଲମ୍‌ପୁର ଶିଖର ବୈଠକ ଅବକାଶରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ୯୪ ବର୍ଷିୟ ମହାଥିର ପ୍ରଶ୍ନ କରିଥିଲେ- ୭୦ ବର୍ଷ ହେବ ଭାରତରେ ଭିନ୍ନ ଭିନ୍ନ ବିଶ୍ୱାସର ଲୋକେ ଏକତ୍ର ବସବାସ କରୁଥିବା ବେଳେ ‘ସିଏଏ’ର କ’ଣ ଆବଶ୍ୟତା ଥିଲା?

ମତେ ଦୁଃଖ ଲାଗୁଛି ଯେ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଦାବି କରୁଥିବା ଭାରତ କେତେକ ମୁସଲମାନଙ୍କୁ ନାଗରିକତ୍ୱରୁ ବଞ୍ଚିତ କରାଇବାକୁ ପଦକ୍ଷେପ ନେଉଛି।

Image Source: India Today

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ଭାରତର ଆଉ ଏକ ସମ୍ପୂର୍ଣ୍ଣ ଅଭ୍ୟନ୍ତରୀଣ ମାମଲାରେ ମହାଥିର ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ସେ ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ହେବା ଉପରେ ମନ୍ତବ୍ୟ ଦେଇଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ବିବୃତିରେ ଆହୁରି କୁହାଯାଇଛି ଯେ ନାଗରିକତା ଆଇନ ଭାରତୀୟ ନାଗରିକମାନଙ୍କ ସ୍ଥିତିକୁ କୌଣସି ପ୍ରକାରରେ ପ୍ରଭାବିତ କରୁନାହିଁ କିଂବା କୌଣସି ଭାରତୀୟଙ୍କୁ ସେମାନଙ୍କ ଧର୍ମବିଶ୍ୱାସ ଓ ନାଗରିକତାରୁ ବଞ୍ଚିତ କରୁନାହିଁ।

ତେଣୁ, ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ‘ଅବାସ୍ତବ’। ବାସ୍ତବ କଥା ନ ବୁଝି ଭାରତର ଅଭ୍ୟନ୍ତରୀଣ ମାମଲାରେ ମନ୍ତବ୍ୟ ଦେବାରୁ ବିରତ ହେବାକୁ ମାଲେସିଆକୁ କହୁଛୁ।

ସମ୍ବନ୍ଧିତ ଖବର