ଏସପିଙ୍କ ସହ ରାତ୍ରିଭୋଜନ ପାଇଁ କରିଥିଲେ ମିଛ ଯୋଜନା, ଯାଞ୍ଚ ବେଳେ ଧରାପଡିଗଲା ସତ 

ଭୋପାଳ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ ଏହି ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ ସଟଡାଉନ ଭଳି କଟକଣା ଲାଗୁ କରାଯାଉଛି | ଏହା ସହ ଭିଡ ଯେଭଳି ନ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାରମ୍ବାର ଅନୁରୋଧ କରାଯାଉଛି | ଆଉ ବିବାହ ଭଳି କାର୍ଯ୍ୟକ୍ରମରେ ଯେଭଳି ଭିଡକୁ ନିୟନ୍ତ୍ରଣରେ ରଖିହେବ ସେଥିପାଇଁ ଗାଇଡଲାଇନ ଜାରି କରାଯାଇଛି | ତେବେ ବିବାହରେ ଭିଡକୁ କମାଇବା ପାଇଁ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଏସପି ମନୋଜ କୁମାର ସିଂହ ନୂଆ ପଦକ୍ଷେପ ସ୍ୱରୂପ ଘୋଷଣା କରିଥିଲେ ଯେ ଯେଉଁ ବ୍ୟକ୍ତି ନିଜ ବିବାହ କାର୍ଯ୍ୟକ୍ରମରେ ୧୦ ଜଣଙ୍କୁ ନେଇ ଆୟୋଜନ କରାଇବେ, ସେମାନଙ୍କୁ ନିଜ ସରକାରୀ ବାସଭବନରେ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିବେ |

ଆଉ ଏହି ଘୋଷଣା ପରେ କିଛି ନବବିବାହିତ ଦମ୍ପତ୍ତି ନିଜ ବିବାହରେ ୧୦ ଜଣ  ଅତିଥିଙ୍କ ମଧ୍ୟରେ ସୀମିତ ରଖି ଫଟୋ ଉଠାଇ ଏସପିଙ୍କ ପାଖକୁ ପଠାଇଥିଲେ | ଆଉ ଏସପି ସେମାନଙ୍କୁ ନିଜ ବାସଭବନକୁ ଡାକି ରାତ୍ରି ଭୋଜନରେ ଆପ୍ୟାୟିତ କରିଥିଲେ | ଏହାରି ମଧ୍ୟରେ ଦବୋହରେ ରହୁଥିବା ରବି ଗୁପ୍ତା ନାମକ ବ୍ୟକ୍ତି ଏସପିଙ୍କ ସହ ରାତ୍ରିଭୋଜନ କରିବାକୁ ୧୦ ଜଣିଆ ଅତିଥିଙ୍କ ସହ ଏକ ଫଟୋ ଉଠାଇ ପଠାଇଥିଲେ | ତେବେ ଏସପି ଯେତେବେଳେ ଏହି ଫଟୋର ରହସ୍ୟ ବାବଦରେ ଅନୁସନ୍ଧାନ କରିଥିଲେ ସେତେବେଳେ ରବି ଗୁପ୍ତାଙ୍କ ଅସଲ କଥା ଜଣାପଡ଼ିଯାଇଥିଲା |

ଅନୁସନ୍ଧାନରୁ ଜଣାପଡିଥିଲା ଯେ ବାସ୍ତବରେ ରବି ନିଜ ବିବାହରେ ପ୍ରୟ ୩୫୦ ଲୋକଙ୍କୁ ନିମନ୍ତ୍ରଣ କରି ଭୋଜି ଖାଇବାକୁ ଦେଇଥିଲେ | ପଡୋଶୀମାନେ ରବି ଏତେ ସଂଖ୍ୟାରେ ଲୋକଙ୍କୁ ଡ଼ାକିଥିବାର କହିଥିଲେ | କିନ୍ତୁ ଏସପିଙ୍କ ସହ ରାତ୍ରିଭୋଜନ କରିବାକୁ ସେ ୧୦ ଜଣିଆ ଅତିଥିଙ୍କ ସହ ଫଟୋ ଉଠାଇ ପଠାଇଦେଇଥିଲେ | ଆଉ ଏସପି ଏହି ଘଟଣା ବାବଦରେ ଜାଣିବା ପରେ ରବିଙ୍କୁ ତାଗିଦ କରିଥିଲେ |

ସମ୍ବନ୍ଧିତ ଖବର