ଚେନ୍ନାଇଠାରୁ ୧୪୯୦ କିମି ଦୂରରେ ରହିଛି ଫନି, ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ଆଶଙ୍କା

ଭୁବନେଶ୍ୱର : ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୧୧୪୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୧୪୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଡିପ୍‌ ଡିପ୍ରେସନରେ ପରିଣତ ହୋଇ ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପରବର୍ତ୍ତି ୧୨ ଘଣ୍ଟାରେ ଏହା ଏକ ସାଇକ୍ଲୋନିକ ଷ୍ଟୋର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତି ୪ ଦିନରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ (ଭୀଷଣ ସାମୁଦ୍ରିକ ବାତ୍ୟା) ଫନିରେ ପରିଣତ ହୋଇ ୩୦ ତାରିଖ ସୁଦ୍ଧା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ ଉପକୂଳ ଛୁଇଁବା ପରେ ଏହାର ଗତିପଥ କଣ ରହିବ ତାହା ଏବେଠାରୁ କହିବା ସମ୍ଭବ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଅର୍ଥାତ ଲାଣ୍ଡଫଲ କରିବା ପରେ ଏହା ଓଡ଼ିଶା ଆଡକୁ ବୁଲିବା ବି ଅସମ୍ଭବ ନୁହେଁ । ଫନି ପ୍ରଭାବରେ ଦ୍ୱାରା ଆସନ୍ତା ୩୦ ଏପ୍ରିଲ ଓ ୧ ମଇରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ରାଜ୍ୟଗୁଡ଼ିକରେ ରେଡ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।

ସମ୍ବନ୍ଧିତ ଖବର