ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ଫନି, ୩୦ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ, ପବନର ବେଗ ଘଣ୍ଟା ପ୍ରତି ୧୭୦ କିମି ଆଶଙ୍କା

ଭୁବନେଶ୍ୱର : ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୮୮୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୧୨୫୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ପୂର୍ବରୁ ଏହା ଏକ ଭୀଷଣ ସାମୁଦ୍ରିକ ଝଡ଼ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । କିନ୍ତୁ ଆଜି ଜାରି ନୂଆ ବୁଲେଟିନରେ ଏହା ଏକ ଅତି ଭୀଷଣ ସାମୁଦ୍ରିକ ଝଡ଼ ( ଭେରି ସିଭିୟର ସାଇକ୍ଲୋନିକ ଷ୍ଟୋର୍ମ) ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି । ଏହାର ନାଁ ରଖାଯାଇଛି ଫନି । ଏହା ଆସନ୍ତା ୩୦ ଏପ୍ରିଲ କିମ୍ବା ୧ ମେରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ ଉପକୂଳ ଛୁଇଁବା ପରେ ଏହାର ଗତିପଥ କଣ ରହିବ ତାହା ଏବେଠାରୁ କହିବା ସମ୍ଭବ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଅର୍ଥାତ ଲାଣ୍ଡଫଲ କରିବା ପରେ ଏହା ଓଡ଼ିଶା ଆଡକୁ ବୁଲିବା ବି ଅସମ୍ଭବ ନୁହେଁ । ଫନି ପ୍ରଭାବରେ ଦ୍ୱାରା ଆସନ୍ତା ୩୦ ଏପ୍ରିଲ ଓ ୧ ମଇରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପବନର ବେଗ ଏହିସବୁ ରାଜ୍ୟଗୁଡ଼ିକରେ ଘଣ୍ଟାପ୍ରତି ୧୪୫ରୁ ୧୫୫ କିଲମିଟର ଓ କେତେକ କ୍ଷେତ୍ରରେ ୧୭୦ କିଲୋମିଟର ଛୁଇଁବା ଆଶଙ୍କା କରାଯାଉଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ରାଜ୍ୟଗୁଡ଼ିକରେ ରେଡ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।

ସମ୍ବନ୍ଧିତ ଖବର