୨୭ରେ ଚାଷୀଙ୍କ ଭାରତ ବନ୍ଦ: ଭାଗ ନେବେ ୧୦୦ ସଂଗଠନ, ବାମଦଳ, କଂଗ୍ରେସ, ଟିଡିପି ମଧ୍ୟରେ ବୈଠକ

ବ୍ୟାଙ୍କ ଅଫିସର ସଂଘର ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା (ଏସ୍‌କେଏମ୍‌) ତରଫରୁ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ଦେଶବ୍ୟାପୀ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବନ୍ଦ ସମୟରେ ବିଶାଳ ଚାଷୀ ସମାବେଶ ହେବ ଏବଂ ସାଇକେଲ ଓ ବାଇକ୍‌ ରୢାଲି ବାହାରିବ ବୋଲି ମିଳିତ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି। ବିଭିନ୍ନ ରାଜନୈତିକ ଦଳଠାରୁ ଆରମ୍ଭ କରି ଟ୍ରେଡ୍ ୟୁନିୟନ, କୃଷକ, ଶିକ୍ଷକ, ଯୁବ, ଶ୍ରମିକ ପ୍ରଭୃତିଙ୍କ ପ୍ରାୟ ୧୦୦ ସଂଗଠନ ଏହି ବନ୍ଦରେ ସାମିଲ ହେବେ ବୋଲି ଏସ୍‌କେଏମ୍‌ କହିଛି।

ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବର ମାସରୁ ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ସେମାନେ ଏହି ଆଇନକୁ ପ୍ରତ୍ୟାହାର ଦାବି କରୁଛନ୍ତି। ସେମାନଙ୍କ ଆନ୍ଦୋଳନକୁ ଗତକାଲି ୩୦୦ ଦିନ ପୂରଣ ହୋଇଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ସଂଘ (ଏଆଇବିଓସି) କୃଷକଙ୍କ ଭାରତ ବନ୍ଦକୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। କୃଷକ ସଂଘ ସହିତ ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ଏଆଇବିଓସି ସରକାରଙ୍କୁ ଏହି ପରିପ୍ରେକ୍ଷୀରେ ଅନୁରୋଧ କରିଛି। ବନ୍ଦକୁ ସଫଳ କରିବା ପାଇଁ ବାମଦଳ, କଂଗ୍ରେସ ଓ ଟିଡିପି ବୁଧବାର ଆନ୍ଧ୍ରପ୍ରଦେଶର ସିପିଆଇ କାର୍ଯ୍ୟାଳୟରେ ଏକ ବୈଠକ କରିଛନ୍ତି। ୨୭ରେ ଚାଷୀ ଆନ୍ଦୋଳନକୁ ୧୦ ମାସ ପୂରଣ ହେଉଥିବାରୁ ପ୍ରତିବାଦ କାର୍ଯ୍ୟକ୍ରମକୁ ଅତି ବ୍ୟାପକ କରିବାକୁ ଯୋଜନା ହୋଇଛି। ବାମଦଳ ନେତାମାନେ କହିଛନ୍ତି ଯେ ସରକାରଙ୍କ କଳା ଆଇନ ଚାଷୀମାନଙ୍କୁ ସମସ୍ୟାରେ ପକାଇଛି। କେନ୍ଦ୍ର ସରକାର ରେଳ ଷ୍ଟେସନ, ରେଳ ଲାଇନ, ଟେଲିକମ୍, ତେଲ, ଗ୍ୟାସ୍, ବୀମା, ବ୍ୟାଙ୍କ, ବିମାନବନ୍ଦର ଓ ସାମୁଦ୍ରିକ ବନ୍ଦର ଆଦି ଯାହା ପାରୁଛନ୍ତି ନ୍ୟାସନାଲ ମନିଟାଇଜେସନ ନାମରେ ବିକ୍ରି କରୁଛନ୍ତି। ସରକାରୀ ସଂସ୍ଥାଗୁଡ଼ିକୁ ଘରୋଇକରଣ କରିବା ପାଇଁ ସରକାର ମସୁଧା ଚଳାଇଛନ୍ତି ବୋଲି ବୈଠକ ପରେ ନେତାମାନେ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର