‘ହର ଘର୍ ତ୍ରିରଙ୍ଗା’ ଅଭିଯାନକୁ ନେଇ ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ; ନିଜ ଘରେ ରଖ ତ୍ରିରଙ୍ଗା

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସର ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ପୁଣି ଥରେ ନିଜ ବିବୃତି ପାଇଁ ବିବାଦୀୟ ହୋଇପଡ଼ିଛନ୍ତି। କେନ୍ଦ୍ର ସରକାରଙ୍କ ‘ହର ଘର୍ ତ୍ରିରଙ୍ଗା’ ଅଭିଯାନ ବିଷୟରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିବା ପରେ ସେ ଯେଉଁଭଳି ଭାବେ ଏହାର ଉତ୍ତର ରଖିଥିଲେ, ଏବେ ତାକୁ ନେଇ ବିବାଦ ଆରମ୍ଭ ହୋଇଛି। ବୁଧବାର ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ସାମ୍ବାଦିକ ତାଙ୍କୁ କେନ୍ଦ୍ର ସରକାରଙ୍କ ‘ହର ଘର ତ୍ରିରଙ୍ଗା ‘ ଅଭିଯାନ ବିଷୟରେ ପ୍ରଶ୍ନ ପଚାରୁଛନ୍ତି।

ସାମ୍ବାଦିକଙ୍କ ପ୍ରଶ୍ନରେ ଫାରୁକ୍ ଅବଦୁଲ୍ଲା କଶ୍ମୀରୀ ଭାଷାରେ ଉତ୍ତର ଦେଉଛନ୍ତି ଯେ, ଏହାକୁ ତୁମ ଘରେ ରଖ। ଜମ୍ମୁ କଶ୍ମୀରର ଗ୍ରାମୀଣ ବିଭାଗ ‘ହର ଘର୍ ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ପାଇଁ ଆବେଦନ କରିଥିବା ବ‌େଳେ ଫାରୁକଙ୍କ ଏଭଳି ବିବୃତି ଏବେ ନୂଆ ବିବାଦ ଆରମ୍ଭ କରିଛି।

ସୂଚନା ମୁତାବକ, ଫାରୁକ୍ ଅବଦୁଲ୍ଲା ଶ୍ରୀନଗର ବଜାରରେ ଏକ ଦୋକାନରେ ପହଞ୍ଚିଥିଲେ। ଏଠାରୁ ବାହାରିବାବେଳେ ତାଙ୍କୁ ସାମ୍ବାଦିକମାନେ ଘେରି ଯାଇଥିଲେ। ପ୍ରଥମେ ତାଙ୍କୁ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଫାରୁକ୍ କହିଥିଲେ ଯେ ୟଶୱନ୍ତ ସିହ୍ନା ଜୁଲାଇ ୯ରେ କାଶ୍ମୀରକୁ ଆସୁଛନ୍ତି। ସେ ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ପରେ ତାଙ୍କୁ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ପ୍ରଶ୍ନ କରାଯିବାରୁ ସେ ରାଗରେ ଏହାକୁ ତୁମ ଘରେ ରଖ ବୋଲି କହିଥିଲେ।

 

ସମ୍ବନ୍ଧିତ ଖବର