ମୁମ୍ବାଇରେ ଆତଙ୍କ:ସାଲିମାର୍‌ ଏକ୍ସପ୍ରେସରୁ ମିଳିଲା ବିସ୍ଫୋରକ

ମୁମ୍ବାଇ: ମୁମ୍ବାଇ କୁର୍‌ଲା ଟର୍ମିନସ୍‌ଠାରେ ସାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ବିସ୍ଫୋରକ ଥିବା ଏକ ବକ୍ସ ଉଦ୍ଧାର ହୋଇଛି। ନଭି ମୁମ୍ବାଇର ଏକ ବ୍ରିଜ୍‌ ନିକଟରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ଏକ ଲିଖିତ ବାର୍ତ୍ତା ମିଳିବାର ଗୋଟିଏ ଦିନ ପରେ ଏହି ବିସ୍ଫୋରକ ମିଳିବା ଯୋଗୁଁ ଆତଙ୍କ ଖେଳିଯାଇଛି। ପଶ୍ଚିମ ବଙ୍ଗରୁ ମୁମ୍ବାଇ ଆସୁଥିବା ସାଲିମାର୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ସକାଳ ୭.୩୦ ମିନଟରେ କୁର୍‌ଲା ଟର୍ମିନସ୍‌ଠାରେ ପହଞ୍ଚିଥିଲା। ଟ୍ରେନରୁ ସମସ୍ତ ଯାତ୍ରୀ ଓହ୍ଲାଇଯିବାପରେ ସଫେଇ କର୍ମଚାରୀମାନେ ବଗି ସଫା କରୁଥିବାବେଳେ ସିଟ ତଳେ ଏକ ବକ୍ସ ଦେଖିଥିଲେ। ସଫେଲ କର୍ମଚାରୀ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ଷ୍ଟେସନକୁ ଖାଲି କରାଯାଇ ବିସ୍ଫୋରକ ଥିବା ଉକ୍ତ ବକ୍ସକୁ ଜବତ କରାଯାଇଥିଲା। ବକ୍ସରେ ଜିଲେଟିନ୍‌ ସମେତ ଅନ୍ୟ କିଛି ବିସ୍ଫୋରକ ସାମଗ୍ରୀ ଥିବା ମଧ୍ୟ ପୁଲିସ ସୂଚନା ଦେଇଛି। ଜିଲେଟିନ୍‌ ସହିତ ବକ୍ସରୁ ତାର ଏବଂ ବ୍ୟାଟେରୀ ମଧ୍ୟ ଉଦ୍ଧାର ହୋଇଥିବାରୁ ବଡ଼ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର ହୋଇଥିବା ଜଣାପଡ଼ିଛି। ଫରେନ୍‌ସିକ ଦଳ ଏବଂ ମହାରାଷ୍ଟ୍ର ଆତଙ୍କବାଦୀ-ନିରୋଧୀ ସ୍କ୍ୱାଡ଼୍‌ ତଦନ୍ତ ଆରମ୍ଭ କରିଛନ୍ତି।
ସିସିଟିଭିକୁ ଯାଞ୍ଚ କରାଯାଇ ଉକ୍ତ ବଗିରେ କେଉଁ ସବୁ ବ୍ୟକ୍ତିମାନେ ଯାଇଥିଲେ ଏବଂ ଓହ୍ଲାଇଥିଲେ ତାହାର ତଦନ୍ତ କରାଯାଉଛି। ମୁମ୍ବାଇର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବଢ଼ାଇ ଦିଆଯାଇଥିବା ବେଳେ ତଲାସୀ ଅଭିଯାନକୁ ବ୍ୟାପକ କରାଯାଇଛି।

ସମ୍ବନ୍ଧିତ ଖବର