ଟିଭି ରିମୋଟ ପାଇଁ ଶାଶୁଙ୍କ ହାତକୁ କାମୁଡ଼ିଦେଲେ ବୋହୂ, ଥାନାରେ ପହଞ୍ଚିଲା ମାମଲା

ମୁମ୍ବାଇ: ଟିଭି ରିମୋଟକୁ ନେଇ ଘରେ ଅନେକ ସମୟରେ ଝଗଡା ହୁଏ | ତେବେ କେବେ କେହି ଭାବି ନଥିବେ ଯେ ଏହି ମାମଲା ଏତେ ଗମ୍ଭୀର ବି ହୋଇପାରେ ଯେ ଏହା ପୁଲିସ ଷ୍ଟେସନରେ ପହଞ୍ଚିଯିବ | ମହାରାଷ୍ଟ୍ରର ଅମ୍ବରନାଥରେ ଏଭଳି ଏକ ଘଟଣା ଘଟିଛି ​​| ଟିଭି ରିମୋଟକୁ ନେଇ ଶାଶୁ-ବୋହୂଙ୍କ ଝଗଡା ଏଭଳି ସ୍ଥିତିରେ ପହଞ୍ଚିଥିଲା ଯେ ମାମଲା ପୁଲିସ ଷ୍ଟେସନରେ ପହଞ୍ଚିଛି | ବାସ୍ତବରେ ଟିଭି ରିମୋଟକୁ ନେଇ ବୋହୂ ଶାଶୁଙ୍କ ହାତକୁ କାମୁଡ଼ିଦେଇଥିଲେ | ମିଳିଥିବା ସୂଚନା ମୁତାବକ ୩୨ ବର୍ଷୀୟା ବିଜୟା କୁଲକର୍ଣ୍ଣି ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ସହ ଅମ୍ବରନାଥର ଗଙ୍ଗାଗିରି ଆପାର୍ଟମେଣ୍ଟରେ ରୁହନ୍ତି। ବିଜୟାଙ୍କ ଶାଶୁ ବିଶ୍ୱାଲୀ କୁଲକର୍ଣ୍ଣି (୬୦ ବର୍ଷ) ବୋହୂଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଶିବାଜିନଗର ପୁଲିସ ଷ୍ଟେସନର ପୁଲିସ ଅଧିକାରୀଙ୍କ କହିବାନୁସାରେ, ପ୍ରାୟତଃ ଛୋଟମୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୁଏ |

ଶାଶୁ ବିଶ୍ୱାଲୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ବୋହୂ ତାଙ୍କ ସହିତ ଟିଭି ଦେଖିବା ପାଇଁ ଝଗଡା କରୁଥିଲେ | ଶାଶୁ ବିଶ୍ୱାଲୀ କହିଛନ୍ତି ଯେ ପୂଜାପାଠ କରିବାବେଳେ ତାଙ୍କ ବୋହୂ ବିଜୟା ଟିଭି ଅନ୍ କରନ୍ତି। ସୋମବାର ସନ୍ଧ୍ୟାରେ ଯେତେବେଳେ ସେ ପୂଜା କରୁଥିଲେ ବୋହୂ ଟିଭି ଲଗାଇ ଉଚ୍ଚ ଶବ୍ଦରେ ଧାରାବାହିକ ଦେଖୁଥିଲେ । ଟିଭିର ଶବ୍ଦରେ ତାଙ୍କର ପୂଜାରେ ବିଭ୍ରାଟ ହେଉଥିଲା, ତେଣୁ ସେ ଯାଇ ବିଜୟାଙ୍କ ହାତରୁ ରିମୋଟ୍ ନେଇ ଟିଭି ବନ୍ଦ କରିଦେଲେ। ଆଉ ଏଥିରେ ରାଗିଯାଇ ତାଙ୍କ ବୋହୂ ହାତକୁ କାମୁଡ଼ିଦେଇଥିଲେ |

ଯେତେବେଳେ ବିଜୟାଙ୍କ ସ୍ୱାମୀ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ, ସେତେବେଳେ ସେ ମଧ୍ୟ ତାଙ୍କ ସହ ଝଗଡା କରିଥିଲେ। ଏହା ପରେ ଶାଶୁ ବିଶ୍ୱାଲୀ ପୁଲିସ ଷ୍ଟେସନରେ ପହଞ୍ଚି ବୋହୂଙ୍କ ବିରୋଧରେ କାମୁଡ଼ିବା ଓ ନିର୍ଯାତନା ମାମଲା ଦାୟର କରିଥିଲେ। ପୁଲିସ କହିଛି ଯେ ଆଇପିସି ଧାରା ୩୨୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର