ଲୋକସଭାରେ ହଟ୍ଟଗୋଳ, ୭ କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦରେ ପ୍ରବଳ ହଟ୍ଟଗୋଳ, ଧସ୍ତାଧସ୍ତି ଏବଂ ମାର୍‌ପିଟରେ କ୍ଷୁବ୍ଧ ଲୋକସଭା ବାଚସ୍ପତି ଓମ୍‌ ବର୍ଲା ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗୃହରେ କୌଣସି ଅନୁରୋଧକୁ ଖାତିର୍‌ ନକରି ବିଶୃଙ୍ଖଳା ସୃଷ୍ଟି କରିଚାଲିଥିବା ୭ ଜଣ କଂଗ୍ରେସ ସାଂସଦଙ୍କୁ ବାଚସ୍ପତି ନିଲମ୍ବନ କରିଛନ୍ତି। ଏହି ସାଂସଦମାନେ ବାଚସ୍ପତିଙ୍କ ଆସନ ଆଡ଼କୁ ମାଡ଼ିଯାଇ ତାଙ୍କ ଉପରକୁ କାଗଜ ଫୋପାଡ଼ିଥିଲେ। ୭ ସାଂସଦଙ୍କ ନିଲମ୍ବନ ଆଦେଶ ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦିଲ୍ଲୀ ହିଂସାକୁ ନେଇ ବିରୋଧୀ ଦଳ ସାଂସଦମାନେ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ କରି କୌଣସି କାମ କରାଇ ଦେଉନଥିବା ବେଳେ ଲୋକସଭା ବାଚସ୍ପତିଙ୍କ ଏଭଳି ପଦକ୍ଷେପ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଆଜି ନିଲମ୍ବିତ ହୋଇଥିବା ସାଂସଦମାନେ ହେଲେ ଗୌରବ ଗୋଗଇ, ଟିଏନ୍‌ ପ୍ରଥପନ୍‌, ଡିଏନ୍‌ କୁରିକୋସ୍‌, ଆର୍‌ ଉନ୍ନିଥନ୍‌, ମାଣିକମ୍‌ ଟେଗୋର୍‌, ବେନି ‌ବେହନ ଏବଂ ଗୁରଜିତ ସିଂହ ଔଜ୍‌ଲା। ଆଜି ବାଚସ୍ପତି ଆସନରେ ଥିବା ଭର୍ତ୍ତୃହରି ମହତାବ କହିଥିଲେ ଯେ ବିଗତ ୩ ଦିନ ଧରି ସଂସଦରେ ଯେଭଳି ବିଶୃଙ୍ଖଳା ସୃଷ୍ଟି କରାଯାଉଛି ସେଥିରେ ଲୋକସଭା ବାଚସ୍ପତି ଚିନ୍ତିତ ଅଛନ୍ତି ଏବଂ ପୂରା ଦେଶ ମଧ୍ୟ ଏଥିପାଇଁ ଚିନ୍ତା ପ୍ରକଟ କରିଛି। ଦିଲ୍ଲୀ ଦଙ୍ଗା ହେଉ କି କରୋନା ଭାଇରସ୍‌ଜନିତ ସଙ୍କଟ ହେଉ, ସବୁ ମାମଲାରେ ଗଠନମୂଳକ ଆଲୋଚନା ଜରୁରୀ ଥିବା ବେଳେ ଏଭଳି ବିଶୃଙ୍ଖଳା ଯୋଗୁଁ ଗୃହ ଅଚଳ ହୋଇଯାଉଛି ବୋଲି ମହତାବ କହିଛନ୍ତି।

ସମ୍ବନ୍ଧିତ ଖବର