ଅମିତ ଶାହାଙ୍କୁ ଗବ୍ବର ବୋଲି ଦର୍ଶାଇ ବିଜେପିର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଚେଷ୍ଟା କରିଥିବାରୁ ଆପ୍ ବିରୋଧରେ ରୁଜୁ ହେଲା ଏତଲା

ନୂଆଦିଲ୍ଲୀ:  ଶୁକ୍ରବାର ଦିଲ୍ଲୀ ପୁଲିସ କମିସନରଙ୍କ ନିକଟରେ ଭାରତୀୟ ଜନତା ପାଟିଁ (ବିଜେପି) ବିପକ୍ଷ ଆମ ଆଦମୀ ପାର୍ଟି (ଆପ୍) ବିରୋଧରେ ଏକ ଏତଲା ଲେଖାଇଛି । ଫିଲ୍ମ ‘ଶୋଲେ’ରେ ଥିବା ଏକ ଦୃଶ୍ୟକୁ ଏଡିଟ୍ କରି ସେଥିରେ ଅମିତ୍ ଶାହାଙ୍କୁ ଗବ୍ବର ବୋଲି ଦର୍ଶାଯାଇଥିବାର ଏକ ଭିଡିଓ ଆପ୍ ପକ୍ଷରୁ ଟୁଇଟ୍ କରାଯାଇଥିଲା। ଟୁଇଟ୍ କରାଯାଇଥିବା ଏହି ଭିଡିଓରେ ବିଜେପିର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଗବ୍ବର ବୋଲି ଦର୍ଶାଇ ତାଙ୍କର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ପାଇଁ ଆପ୍ ଚେଷ୍ଟା କରିଥିବା ଅଭିଯୋଗ କରିଛି ବିଜେପି।

ବୀର ମୋଟା ଭାଇ ନାମକ ଏକ ଟୁଇଟର ଆକାଉଣ୍ଟରୁ ଭିଡିଓକୁ ଟୁଇଟ୍ କରାଯାଇଥିବା ବେଳେ ସେଥିରେ ଅମିତ୍ ଶାହା ଓ କେଜ୍ରିୱାଲଙ୍କ ସମେତ ଦୁଇ ଦଳର ମୁଖ୍ୟ ନେତାମାନେ ଏଥିରେ ନଜର ଆସୁଛନ୍ତି। ଭିଡିଓରେ ଫିଲ୍ମ ‘ଶୋଲେ’ର ଖଳନାୟକ ଗବ୍ବର ମୁଣ୍ଡରେ ସ୍ବରାଷ୍ଟ୍ର ମନ୍ତ୍ରୀ  ଅମିତ୍ ଶାହାଙ୍କ ମୁଣ୍ଡ ଏଡିଟ୍ କରି ଲଗାଯାଇଛି।

ଭିଡିଓରେ ଅମିତ ଶାହା ବିଜେପିର  ମନୋଜ ତିୱାରୀଙ୍କୁ ‘କିତନେ ଆଦମୀ ଥେ’ ବୋଲି ପ୍ରଶ୍ନ କରୁଛନ୍ତି। ତେବେ ଦିଲ୍ଲୀ ନିର୍ବାଚନକୁ ଅ‌ାଖି ଆଗରେ ରଖି ଆପ୍ ପକ୍ଷରୁ ଜାନୁଆରି ୨୪ରେ ଏଭଳି ଭିଡିଓ ଟୁଇଟ୍ କରାଯାଇଥିଲା। ବିଜେପିକୁ ନିନ୍ଦା କରିବା ସହ ନିଜ ଦଳକୁ ଉପରେ ରଖିବା ପାଇଁ ଆପ୍ ଏଭଳି ଭିଡିଓ ପୋଷ୍ଟ କରିବା ପରେ ଜାନୁଆରି ୨୫ରେ ଏକ ସ୍ବତନ୍ତ୍ର ସେଲ୍ ଆପ୍ ବିରୋଧରେ ଏତଲା ଲେଖାଇଥିଲା। ତେବେ, ଶୁକ୍ରବାର ବିଜେପି ଏ ନେଇ ଏତଲା ଦେବା ପରେ ଏବେ ଦିଲ୍ଲୀ ପୁଲିସ କ୍ରାଇମ୍ ବ୍ରାଞ୍ଚ ବିଜେପିର ଏତଲା ରଖିବା ସହ ଅଭିଯୋଗ ଉପରେ ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର