ରାଗ ମାଡୁଥିଲା, ଏଣୁ ପୁଲିସ ଉପରେ ଗୁଳି ଚଳେଇଦେଲି : ଜେରା ବେଳେ କହିଲା ହିଂସା ଅଭିଯୁକ୍ତ ଶାହରୁଖ ପଠାନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାବେଳେ ପୁଲିସ ଉପରକୁ ଗୁଳି ଚଳାଇଥିବା ଶାହରୁଖ୍‌ ପଠାନକୁ ଆଜି ଉତ୍ତରପ୍ରଦେଶର ବରେଲିରୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଛି । ତାକୁ ଜେରା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡ଼ିଛି । ସେ କହିଛି ଯେ ହିଂସା ବେଳେ ସେ ରାଗିଯାଇଥିଲା ଓ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା । ଏହି ଗୁଳିଚଳାଇବା ପରେ ସେ କିଛି ଦିନ ଦିଲ୍ଲୀରେ ଥିଲା ଓ ତାପରେ ସେ ପଞ୍ଜାବ ପଳାଇଯାଇଥିଲା ଓ ସେଠାରେ ନିଜର ଜଣେ ସାଙ୍ଗ ଘରେ ରହିଥିଲା । ଏହା ପରେ ସେ ଉତ୍ତରପ୍ରଦେଶର ବରେଲି ଓ ନିକଟସ୍ଥ ସାମଲି ପଳାଇଯାଇ ସେଠାରେ ଲୁଚିଥିଲା । ତା ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । କିନ୍ତୁ ତା ବାପା ପୂର୍ବରୁ ଥରେ କୌଣସି ଏକ ଅପରାଧରେ ଗିରଫ ହୋଇଥିଲେ । ବନ୍ଧୁକ କେବଳ ଅନ୍ୟମାନଙ୍କୁ ଡରାଇବା ପାଇଁ କିଣିଥିଲା ବୋଲି ସେ କହିଛି ।

ଗତ ଫେବ୍ରୁଆରୀ ୨୪ର ଦିଲ୍ଲୀର ମୌଜପୁରରେ ଦଙ୍ଗାବେଳେ ସେ ଜଣେ ପୁଲିସ କର୍ମଚାରୀ ଦିପକ ଦହିୟାଙ୍କୁ ବନ୍ଧୁକ ଦେଖାଇବା ସହ ୮ ରାଉଣ୍ଡ ଗୁଳିଚାଳନା କରିଥିଲା । ଏହି ଘଟଣା ଘଟାଇ ସେ ଫେରାର ହୋଇଯାଇଥିଲା । ଏପରିକି ତା ପରିବାର ମଧ୍ୟ ଫେରାର ହୋଇଯାଇଥିଲା । ମିଳିଥିବା ସୂଚନା ଅନୁସାରେ ସେ ପ୍ରଥମେ ହରିୟାଣା ଓ ତାପରେ ଉତ୍ତରପ୍ରଦେଶରେ ଆତ୍ମଗୋପନ କରିଥିଲା । ତାକୁ ଗିରଫ କରିବା ପାଇଁ ପୁଲିସ ଉପରେ ସବୁଆଡ଼ୁ ଚାପ ପଡ଼ୁଥିଲା । ଗତ କାଲି ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଦଳ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଚଢଉ କରିଥିଲା । ଅନ୍ୟପକ୍ଷରେ ଦିଲ୍ଲୀରେ ଥିବା ତା’ଘରୁ ବିପୁଳ ପରିମାଣରେ ଆପତ୍ତିଜନକ କାଗଜପତ୍ର ଓ ଲେଖା ଜବତ ହୋଇଛି ।

ସମ୍ବନ୍ଧିତ ଖବର