ଜବରଦସ୍ତ ଧର୍ମାନ୍ତରୀକରଣ ସମ୍ବିଧାନ-ବିରୋଧୀ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବଳପୂର୍ବକ ବା ପ୍ରଲୋଭନ ଦ୍ବାରା ବା ଛଳନା ଦ୍ବାରା ଧର୍ମାନ୍ତରୀକରଣ ଏକ ସାଂଘାତିକ ପ୍ରସଙ୍ଗ ବୋଲି ପୂର୍ବରୁ ସୁପ୍ରିମ୍‌କୋର୍ଟ କହିଥିବା ବେଳେ ଆଜି ତାକୁ ଦୋହରାଇବା ସହ କହିଛନ୍ତି ଯେ ଏହା ସମ୍ବିଧାନ-ବିରୋଧୀ। କୋର୍ଟ ଆଜି ଆଇନଜୀବୀ ଅଶ୍ବିନୀ କୁମାର ଉପାଧ୍ୟାୟଙ୍କ ଆବେଦନର ଶୁଣାଣି କରୁଥିଲେ। ଡରାଇ, ଧମକାଇ, ଭୟଭୀତ କରି, ପ୍ରତାରଣା ବା ଛଳନା କରି, ଉପହାର ଦେଇ ବା ଆର୍ଥିକ ଲୋଭ ଦେଖାଇ ଧର୍ମାନ୍ତରିତ କରାଯାଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ସୁପ୍ରିମ୍‌କୋର୍ଟ ଆଦେଶ ଦିଅନ୍ତୁ ବୋଲି ଅନୁରୋଧ କରି ଉପାଧ୍ୟାୟ ଏହି ମାମଲା ରୁଜୁ କରିଥିଲେ।

କେନ୍ଦ୍ର ପକ୍ଷରୁ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ କହିଥିଲେ ଯେ, କେଉଁ ରାଜ୍ୟରେ କେତେ ଜବରଦସ୍ତ ଧର୍ମାନ୍ତରୀକରଣ କରାଯାଇଛି ତାହା ଉପରେ ରାଜ୍ୟଗୁଡ଼ିକୁ ତଥ୍ୟ ମଗାଯାଇଛି। ତଥ୍ୟ ମିଳିଲେ ତାହା ଉପସ୍ଥାପନ କରାଯିବ ଏବଂ ଏଥିପାଇଁ କୋର୍ଟ ଆଉ ସପ୍ତାହେ ଅଧିକ ସମୟ ଦିଅନ୍ତୁ। କୋର୍ଟ ସମୟ ଦେବା ସହ ପୁଣିଥରେ କହିଲେ ଯେ, ଜବରଦସ୍ତ ଧର୍ମାନ୍ତରୀକରଣ ଏକ ଗୁରୁତର ପ୍ରସଙ୍ଗ। ପ୍ରକୃତରେ ଲୋକଙ୍କ ଆସ୍ଥା ଓ ବିଶ୍ବାସରେ ପରିବର୍ତ୍ତନ ଆସିଛି ନା ଧର୍ମାନ୍ତର ଗ୍ରହଣ ପଛରେ ଅନ୍ୟ କିଛି କାରଣ ଅଛି ତାହା ଦେଖାଯିବା ଦରକାର। ଏହାର କ’ଣ ସମାଧାନ କରାଯାଇପାରିବ ବୋଲି ଜଣେ ଓକିଲ ପ୍ରଶ୍ନ କରିବାରୁ କୋର୍ଟ କହିଲେ – ତାହା ଆମ ଉପରେ ଛାଡ଼ିଦିଅନ୍ତୁ। ଯଦି ଦାନ କରିବାର ଉଦ୍ଦେଶ୍ୟ ମହତ୍ ତେବେ ତାହା ସ୍ବାଗତଯୋଗ୍ୟ। କିନ୍ତୁ ତା’ ପଛରେ ଯଦି କିଛି ଉଦ୍ଦେଶ୍ୟ ଥାଏ ତେବେ ତାହା ସାଂଘାତିକ। ଏହାକୁ ଅନ୍ୟ ଭାବରେ ନିଅନ୍ତୁନି, ଏହା ଏକ ସାଂଘାତିକ ପ୍ରସଙ୍ଗ। ଯେଉଁମାନେ ଭାରତରେ ବାସ କରୁଛନ୍ତି, ସେମାନେ ଭାରତୀୟ ସଂସ୍କୃତି ଅନୁଯାୟୀ ଚଳିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ। ଆସନ୍ତା ଡିସେମ୍ବର ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ

ସମ୍ବନ୍ଧିତ ଖବର