ଅବିଭକ୍ତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ରୋସୈୟାଙ୍କ ଦେହାନ୍ତ

ହାଇଦ୍ରାବାଦ/ଗୁଣ୍ଟୁର୍‌: ତାମିଲନାଡୁର ପୂର୍ବତନ ରାଜ୍ୟପାଳ ତଥା ଅବିଭକ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ କୋନିଜେତି ରୋସୈୟାଙ୍କର ଆଜି ପ୍ରତ୍ୟୁଷରେ ହାଇଦ୍ରାବାଦରେ ଦେହାନ୍ତ ହୋଇଯାଇଛି।

ରକ୍ତଚାପ ସ୍ତର ଅତ୍ୟନ୍ତ ନିମ୍ନ ହୋଇଯିବାରୁ ପରିବାର ଲୋକେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ (ଷ୍ଟାର୍‌ ହସ୍ପିଟାଲ୍‌ସ୍‌) ଭର୍ତ୍ତି କରିଥିଲେ। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ। ଏ ସଂକ୍ରାନ୍ତ ବିବୃତିରେ ‘ଷ୍ଟାର୍‌ ହସ୍ପିଟାଲ୍‌’ କହିଛି, ତାଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା ଏବଂ ସକାଳ ୮.୨୦ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଗାମୀକାଲି ହାଇଦ୍ରାବାଦରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇପାରେ।

୮୮ ବର୍ଷିୟ ରୋସୈୟା ଥିଲେ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଏବଂ କେ. ବିଜୟ ଭାସ୍କର ରେଡ୍ଡୀ ଏବଂ ୱାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ସମେତ ଅନେକ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍‌ରେ ସେ ସଦସ୍ୟ ହୋଇଥିଲେ। ଜଣେ ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ୧୬ ଥର ବଜେଟ୍‌ ଉପସ୍ଥାପନ କରି ରୋସୈୟା ରେକର୍ଡ ସୃଷ୍ଟିକରିଥିଲେ।

Image Courtesy of Hans India

୨୦୦୯ରେ ୱାଇ. ଏସ୍‌. ରାଜଶେଖର ରେଡ୍ଡୀଙ୍କ ଆକସ୍ମିକ ମୃତ୍ୟୁ ପରେ ତତ୍କାଳୀନ ଅର୍ଥମନ୍ତ୍ରୀ ଥିବା ରୋସୈୟା ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିଲେ। ପରେ ସେ ତାଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା।

ଆଧୁନିକ ଯୁଗରେ ମଧ୍ୟ ବୁଦ୍ଧିଦୀପ୍ତତା ଏବଂ ସରଳତା ପାଇଁ ସେ ସମସ୍ତଙ୍କର ଆଦରଣୀୟ ହୋଇ ପାରିଥିଲେ। ୧୯୩୩ ମସିହାରେ ଗୁଣ୍ଟୁର୍‌ ଜିଲ୍ଲାର ତେନାଲି ନିକଟ ଭେମୁରୁରେ ଜନ୍ମିତ ରୋସୈୟା ୧୯୬୮ରେ ଜଣେ ବିଧାନ ପରିଷଦ୍‌ ସଦସ୍ୟ ଭାବେ ତାଙ୍କର ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ପରେ ସେ ଚିରାଲା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଥରେ ସେ ସଂସଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

ତାମିଲନାଡୁ ରାଜ୍ୟପାଳ ପଦବୀରୁ ଅବସର ନେବା ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇ ହାଇଦ୍ରାବାଦରେ ବସବାସ କରୁଥିଲେ। ତାଙ୍କ ମୃତ୍ୟୁ ସମ୍ବାଦ ପାଇ ଅନେକ ରାଜନେତା ଓ ଗଣ୍ୟମାନ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର