ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭରଦ୍ୱାଜଙ୍କ ୮୨ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: କର୍ଣ୍ଣାଟକ ଓ କେରଳର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ଆଇନମନ୍ତ୍ରୀ ହଂସରାଜ ଭରଦ୍ୱାଜଙ୍କ ଆଜି ପରଲୋକ ହୋଇଯାଇଛି। ସେ ୮୨ ବର୍ଷ ବୟସରେ ଅନ୍ତିମ ଶ୍ୱାସକ୍ରିୟା ନେଇଛନ୍ତି। ହଂସରାଜ ଭରଦ୍ୱାଜ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ଥିଲେ। ଆସନ୍ତାକାଲି ଅର୍ଥାତ ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ସୋମବାର ଅପରାହ୍ନ ୪ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତାଙ୍କ ପରିବାର ଲୋକେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଦିଲ୍ଲୀର ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହେବ।

ସୂଚନାଯୋଗ୍ୟ ୧୯୩୭ ମସିହା ମେ’ ମାସ ୧୯ ତାରିଖରେ ହଂସରାଜ ଭରଦ୍ୱାଜ ଜନ୍ମଗ୍ରହଣ କରିଥିଲେ। ୟୁପିଏ ସରକାରରେ ସେ ଆଇନ ମନ୍ତ୍ରୀ ଭାବେ କାମ କରିଥିଲେ। ହଂସରାଜ ଭରଦ୍ୱାଜ ୨୦୦୪ ମେ’ ୨୨ ରୁ ୨୦୦୯ ମେ’ ୨୮ ଯାଏଁ ଆଇନ ମନ୍ତ୍ରୀ ଥିଲେ।

ହଂସରାଜ ଭରଦ୍ୱାଜ ଆଇନ ମନ୍ତ୍ରୀ ହେବା ପରେ ରାଜ୍ୟପାଳ ଭାବେ ସେବା ପ୍ରଦାନ କରିଛନ୍ତି। ଭରଦ୍ୱାଜ କର୍ଣ୍ଣାଟକ ଓ କେରଳର ରାଜ୍ୟପାଳ ଥିଲେ। ସେ ୨୦୦୯ରୁ ୨୦୧୪ ଯାଏଁ କର୍ଣ୍ଣାଟକ ଏବଂ ୨୦୧୨ରୁ ୨୦୧୩ ପର୍ଯ୍ୟନ୍ତ କେରଳର ରାଜ୍ୟପାଳ ଥିଲେ। ଏତଦ୍‌ ବ୍ୟତୀତ ସେ ୧୯୮୨, ୧୯୮୪, ୨୦୦୦ ଏବଂ ୨୦୦୬ରେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।

ସମ୍ବନ୍ଧିତ ଖବର