ଆସାମ ତୈଳକୂପରେ ଲାଗିଥିବା ନିଆଁ ଲିଭାଇବାକୁ ମାସେ ଲାଗିବ : ସିଂଗାପୁର ବିଶେଷଜ୍ଞ ଦଳ

ଗୁଆହାଟୀ : ଆସାମର ତିନସୁକିଆ ଜିଲ୍ଲାରେ ଥିବା ବାଗଜାନ ତୈଳ କୂପରେ ଲାଗିଥିବା ନିଆଁର ପ୍ରକୋପ କମିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରାୟ ଏକ ମାସ ସମୟ ଲାଗିବ ବୋଲି ସିଂଗାପୁରରୁ ଆସିଥିବା ବିଶେଷଜ୍ଞ ଦଳ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପରେ ହୋଇଥିବା ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ଦାୟିତ୍ୱ ଅର୍ପଣ କରିଛି । ସିଂଗାପୁର କମ୍ପାନିର ବିଶେଷଜ୍ଞ ଟିମ ଗତ ସୋମବାରଦିନ ଆସାମର ଦୁଲିଆଜାନ ଟାଉନରେ ପହଞ୍ଚଥିଲେ ।
ମଙ୍ଗଳବାରଦିନ ତୈଳକୂପରେ ଲାଗିଥିବା ନିଆଁ ଏତେ ତୀବ୍ର ଥିଲା ଯେ ପ୍ରାୟ ୨-୩ କିଲୋମିଟର ଦୂରରୁ ନିଆଁର ଶିଖା ଦେଖାଯାଉଛି ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ନିଆଁ ଲାଗିବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଏହି ନିଆଁ ଏବେ ବି ଜାରି ରହିଥିବାରୁ ସ୍ଥାନୀୟ ଦିବ୍ରୁ-ସାଇଖୋଓ୍ଵା ଜାତୀୟ ପାର୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ନିଆଁ ତାପରେ ଅନେକ ପଶୁପକ୍ଷୀ ମରି ପଡ଼ିଥିବା ଦେଖାଯାଇଛି । ଏହାର ପ୍ରଭାବରେ ସ୍ଥାନୀୟ ଜଙ୍ଗଲ ଓ ଘରଦ୍ବାର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଏହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର