ଅନନ୍ୟ ସଂଗୀତା; କୋଭିଡ୍‌ରେ ସ୍ବାମୀଙ୍କ ମୃତ୍ୟୁପରେ ସଞ୍ଚିତ ଅର୍ଥରେ ଗରିବଙ୍କୁ ଯୋଗାଉଛନ୍ତି ମାଗଣା ଆମ୍ବୁଲାନ୍ସ ସେବା

ରାଜକୋଟ: ଆଜିକାଲି ଦୁନିଆ ସ୍ବାର୍ଥ ସର୍ବସ୍ବ ହୋଇ ପଡ଼ିଥିବା ବେଳେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବିନା କିଛି ସ୍ୱାର୍ଥରେ ଅନ୍ୟକୁ ସାହାଯ୍ୟ କରିଥାନ୍ତି। ଗୁଜରାଟର ରାଜକୋଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ରାଜକୋଟର ସଂଗୀତା ହରେଶ ଶାହା ଆର୍ଥିକ ଦୁର୍ବଳ ରୋଗୀମାନଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ପ୍ରଦାନ କରୁଛନ୍ତି। ଏହି ମାଗଣା ଆମ୍ବୁଲାନ୍ସ ପଛର କାହାଣୀ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ସୂଚନା ଅନୁସାରେ,୨୦୨୧ ମସିହାରେ କରୋନା ମହାମାରୀରେ ସ୍ୱାମୀଙ୍କୁ ହରାଇବା ପରେ ସଂଗୀତା ଜୀବନରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଦେଖିଲେ କରୋନା କାଳରେ ଠିକ୍ ସମୟରେ ଆମ୍ବୁଲାନ୍ସ ପାଇବା କେତେ କଷ୍ଟକର ହେଇଥିଲା ଏବଂ ଅନେକ ପରିବାର ଅଛନ୍ତି ଯେଉଁମାନେ ଆମ୍ବୁଲାନ୍ସ ପାଇଁ ଅର୍ଥ ଦେବାକୁ ଅସମର୍ଥ ହୋଇଥିଲେ। ଏସବୁ ଦେଖି ସଂଗୀତା ଅସହାୟ ଲୋକଙ୍କ ପାଇଁ ଏକ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଚିନ୍ତା କରିଥିଲେ।

ସେ ନିଜ ଖର୍ଚ୍ଚରେ ଏକ କାର କିଣି ଏହାକୁ ଆମ୍ବୁଲାନ୍ସରେ ପରିଣତ କରିଥିଲେ ଏବଂ ଗତ ଏକ ବର୍ଷରୁ ସେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ମାଗଣା ଆମ୍ବୁଲାନ୍ସ ସୁବିଧା ଯୋଗାଉଛନ୍ତି। ଏଥି ସହିତ, ଯେଉଁ ବ୍ୟକ୍ତିମାନେ ଚାହିଁବେ ସେମାନେ କେବଳ ଡିଜେଲ ଓ ଡ୍ରାଇଭର ଫି ଦେଇ ଏହାକୁ ବ୍ୟବହାର କରିପାରିବେ । ତାଙ୍କର ଆମ୍ବୁଲାନ୍ସ ରାଜକୋଟରେ ଥିବା ସିଭିଲ ହସ୍ପିଟାଲ ନିକଟରେ ପାର୍କିଂ ହୋଇଛି, ଯେଉଁଠାରେ ନିକଟସ୍ଥ ଗାଁର ଲୋକମାନେ ସାଧାରଣତଃ ଚିକିତ୍ସା ପାଇଁ ଆସିଥାନ୍ତି । ସଂଗୀତାଙ୍କ ସ୍ୱାମୀ ହରେଶ ଶାହା ରାଜକୋଟରେ ଚାକିରି କରୁଥିଲେ। କୋଭିଡରେ ମୃତ୍ୟୁ ପରେ ତାଙ୍କର ସଂଚୟ ହିଁ ସଂଗୀତା ପାଇଁ ଏକମାତ୍ର ସାହାରା ଥିଲା। କିନ୍ତୁ ସଂଗୀତା ନିଜର ସମସ୍ତ ସଞ୍ଚୟକୁ ବ୍ୟବହାର କରିବା ପରିବର୍ତ୍ତେ ଅର୍ଥର ଏକ ଅଂଶ ସେବା କାର୍ଯ୍ୟ ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ।

ସଂଗୀତା କହିଛନ୍ତି ଯେ, ନିକଟରେ ତାଙ୍କ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେଇ ନେପାଳ ମଧ୍ୟ ଯାଇଥିଲା। ଏହି ଆମ୍ବୁଲାନ୍ସରେ ତାଙ୍କ ସ୍ୱାମୀଙ୍କ ଫଟୋ ମଧ୍ୟ ରହିଛି । ସଂଗୀତା ଖୁସି ଯେ ସେ ସ୍ୱାମୀଙ୍କ ସଞ୍ଚୟକୁ ଏକ ଉତ୍ତମ କାର୍ଯ୍ୟରେ ବ୍ୟବହାର କରିବାରେ ସକ୍ଷମ ହୋଇଛନ୍ତି। ସେ ଆଶା କରୁଛନ୍ତି ଯେ ଆଗାମୀ ସମୟରେ ଅଧିକ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ, ଯାହାଫଳରେ ସେ ତାଙ୍କ କାର୍ଯ୍ୟକୁ ଆଗକୁ ନେଇପାରିବେ ଏବଂ ଗୋଟିଏ ବଦଳରେ ଦୁଇଟି ଆମ୍ବୁଲାନ୍ସ କିଣି ଲୋକଙ୍କୁ ସାହାଯ୍ୟ କରିପାରିବେ।

ସମ୍ବନ୍ଧିତ ଖବର