ଲୁଚକାଳି ଖେଳୁଖେଳୁ ବିଦେଶରେ ହାଜର : ଜାହାଜର ନିବୁଜ କଣ୍ଟେନର ଭିତରେ ୬ଦିନ ଅଖିଆ-ଅପିଆ ଥାଇ ବି ବଞ୍ଚିଛି ବାଂଲାଦେଶୀ ବାଳକ

ନୂଆଦିଲ୍ଲୀ: କଥାରେ ଅଛି-ରଖେ ହରି ତ ମାରେ କିଏ? ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ଛଅ ଦିନ ଧରି ଏକ ବନ୍ଦ ମାଲବୁହା କଣ୍ଟେନର ଭିତରେ ରହିବା ପରେ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଜଣେ ବାଂଲାଦେଶୀ ବାଳକ। କୌତୂହଳବଶତଃ ନିଜଦେଶର ସମୁଦ୍ରକୂଳରେ ଲୁଚକାଳି ଖେଳୁ ଖେଳୁ ସେ ଦରିଆପାରି ହୋଇ ମାଲେସିଆରେ ପହଞ୍ଚିବା ଖବର ଚର୍ଚ୍ଚାର ବିଷୟ ହୋଇଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ସେ ବଞ୍ଚିଛି।

ସୂଚନାନୁଯାୟୀ, ଗତ ୧୭ ତାରିଖରେ ମାଲେସିଆର କ୍ଳାଙ୍ଗ ବନ୍ଦରରେ ଏକ ବାଂଲାଦେଶୀ ପଣ୍ୟବାହୀ ଜାହାଜକୁ ମାଲ୍‌ ଖଲାସ କଲା ବେଳେ ଜାହାଜର କର୍ମଚାରୀମାନେ ଏକ ନିବୁଜ କଣ୍ଟେନର ଭିତରେ ବିବ୍ରତ ଅବସ୍ଥାରେ ଥିବା ଉକ୍ତ ବାଳକକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେ ସ୍ଥାନୀୟ ଭାଷା କହିପାରୁନଥିବାରୁ ବନ୍ଦର କର୍ମଚାରୀମାନେ ତା’ ସମ୍ପର୍କରେ କୌଣସି ସୂଚନା ପାଇପାରିନଥିଲେ। ତେବେ ସେମାନେ ତା’କୁ ମାନବ ଚାଲାଣ ରାକେଟ୍‌ର ଶିକାର ହୋଇଥିବା ଆଶଙ୍କା କରିଥିଲେ। ପରେ ପୁଲିସ ଆସି ଘଟଣାର ଖୋଜଖବର ନେବାରେ ବାଳକ ଜଣକ ବାଂଳାଦେଶ ଅନ୍ତର୍ଗତ ଚିଟ୍ଟାଗଙ୍ଗ ସହରର ବୋଲି ଜଣାପଡ଼ିଥିଲା। ସାଙ୍ଗମାନଙ୍କ ସହ ଲୁଚକାଳି ଖେଳୁ ଖେଳୁ ସେ ଏହି କଣ୍ଟେନର ଭିତରେ ଶୋଇପଡ଼ିଥିଲା ଏବଂ କଣ୍ଟେନରଟି ଜାହାଜ ସହ ମାଲେସିଆ ଅଭିମୁଖେ ବାହାରିଥିଲା। ଏଭଳି ଦୀର୍ଘ ୨୦୦୦ କିମି. ଏବଂ ୬ ଦିନର ସମୁଦ୍ରଯାତ୍ରା କାଳରେ ସେ କିଛି ନଖାଇ ନପିଇ ସେମିତି କାକୁସ୍ଥ ପରି ପଡ଼ି ରହିଥିଲା। ତେବେ ଉଦ୍ଧାର ପରେ ତା’କୁ ଡାକ୍ତରଖାନା ନେବାରେ ସେ ଏବେ ସୁସ୍ଥ ଅଛି ଏବଂ ନିଜ ଦେଶକୁ ଫେରିବା ପାଇଁ ମାଲେସିଆ ସରକାର ବ୍ୟବସ୍ଥା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର