ମୁମ୍ବାଇ,: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଏକ ଟିଭି ସାକ୍ଷାତକାରରେ ବିଜେପି ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ବୋଲି କହିବା ପରେ ଏହାକୁ ନେଇ ବିଜେପିରେ ଆଲୋଡ଼ନ ସୃଷ୍ଟି ହୋଇଛି। କଂଗ୍ରେସ ଏହାକୁ ଅସ୍ତ୍ର କରି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି। ଗତକାଲି ଗଡ଼କରୀ ଏକ ମରାଠୀ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରର ଭିଡିଓ କ୍ଲିପ୍୍କୁ କଂଗ୍ରେସ ଦଳ ଟ୍ବିଟ୍ କରିଛି। ଏହି ଭିଡିଓରେ ଗଡ଼କରୀ ବଲିଉଡ ଅଭିନେତା ନାନା ପାଟେକରଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ସେୟାର କରି କଂଗ୍ରେସ ଲେଖିଛି ଯେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ସ୍ବୀକାର କରିଛନ୍ତି, ମୋଦି ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା । ଗଡ଼କରୀ ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ଼ନଭିସ ସରକାରଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଥିଲେ ମଧ୍ୟ ସେ ବିଜେପିର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି ବୋଲି କୁହାଯାଉଛି। ଗଡ଼କରୀ ଭିଡିଓରେ କହିଛନ୍ତି ‘ ଆମେ କ୍ଷମତାକୁ ଆସିବୁ ନାହିଁ ବୋଲି ଧରିନେଇଥିଲୁ। ଏହାପରେ ଆମେ ବଡ଼ ବଡ଼ ପ୍ରତିଶ୍ରୃତି ଦେବାକୁ ନିଷ୍ପତ୍ତି ନେଇଥିଲୁ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିଶ୍ରୁତି ସତ୍ତ୍ବେ କ୍ଷମତାକୁ ନ ଆସିଲେ ଏ ବାବଦରେ ଆମର କୌଣସି ଉତ୍ତରଦାୟିତ୍ବ ରହିବ ନାହିଁ ବୋଲି ଆମେ ଜାଣିଥିଲୁ। କିନ୍ତୁ ଜନସାଧାରଣ ଆମକୁ ଭୋଟ୍ ଦେଇ କ୍ଷମତାକୁ ଆଣିଛନ୍ତି। କ୍ଷମତାକୁ ଆସିବା ପରେ ଲୋକେ କହୁଛନ୍ତି ଗଡ଼କରୀ ଏଭଳି ପ୍ରତିଶ୍ରତି ଦେଇଥିଲେ, ଫଡନଭିସ ସେଭଳି ପ୍ରତିଶ୍ରୁତି ଦେଇଥିଲେ। ଜନସାଧାରଣ ଏବେ ଆମ ପ୍ରତିଶ୍ରୁତିକୁ ମନେ ପକାଇ ଦେଉଛନ୍ତି ଏବଂ ଆମେ ଏହାକୁ ହସି ହସି ଟାଳି ଦେଉଛୁ ବୋଲି ସେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଭିଡିଓକୁ ସେୟାର କରି କହିଛନ୍ତି ଯେ ଗଡ଼କରୀ ଠିକ୍ କହିଛନ୍ତି। ଜନସାଧାରଣ ମଧ୍ୟ ଜାଣିଗଲେଣି ଯେ କ୍ଷମତାକୁ ଆସିବା ପାଇଁ ସେମାନଙ୍କୁ ବିଜେପି ଲୋଭର ଶିକାର ବନାଇଥିଲା।
ଗତ ଅଗଷ୍ଟରେ ମଧ୍ୟ ସଂରକ୍ଷଣକୁ ନେଇ ଗଡ଼କରୀ ବିବାଦୀୟ ମନ୍ତବ୍ୟ ଦେଇ ଦଳକୁ ଅଡ଼ୁଆରେ ପକାଇଥିଳେ। ସଂରକ୍ଷଣରେ ଚାକିରି ମିଳିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସେ କହିଥିଲେ। ତାଙ୍କର ଏହି ବୟାନକୁ ନେଇ ବିରୋଧୀ ଦଳମାନେ ମୋଦି ସରକାରଙ୍କୁ ଘେରିଥିଲେ।